କଂଗ୍ରେସ ନିର୍ବାଚନରେ ପାତରଅନ୍ତର, ଥରୁରଙ୍କ ଉପରେ ଭାରି ପଡୁଛନ୍ତି ଖଡଗେ

91

କନକ ବ୍ୟୁରୋ : କଂଗ୍ରେସ ସଭାପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଦୁଇ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ବରିଷ୍ଠ କଂଗ୍ରେସ ସାଂସଦଙ୍କ ଉପରେ ଭାରି ପଡୁଛନ୍ତି ଖଡଗେ । ପ୍ରାର୍ଥପତ୍ର ଦାଖଲ କରିବା ପରେ ଖଡଗେ ୨୫ ଟି ରାଜ୍ୟର କଂଗ୍ରେସ ମୁଖ୍ୟ ଏବଂ ସଦସ୍ୟମାନଙ୍କୁ ଭେଟି ସାରିଥିବା ବେଳେ ଥରୁର ମାତ୍ର ୫ ଟି ରାଜ୍ୟ ନେତୃବୃନ୍ଦଙ୍କୁ ଭେଟିଛନ୍ତିି । ଖଡଗେ ପ୍ରଚାର ପାଇଁ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠାରେ ତାଙ୍କୁ ପିସିସି ସଭାପତି ଏବଂ ବିଧାୟକମାନେ ଯେଉଁଭଳି ସ୍ୱାଗତ କରୁଛନ୍ତି ତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନଥିବା କହିଛନ୍ତି ଥରୁର ।

କଂଗ୍ରେସ ମୁଖ୍ୟ ଏବଂ ନିର୍ବାଚନର ନିର୍ଦ୍ଦେଶ ତଥା ନିୟମ ଅନୁସାରେ ପଦବୀରେ ଥିବା କୌଣସି ନେତା କଂଗ୍ରେସ ସଭାପତି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିପାରିବେ ନାହିଁ । ସେପଟେ କଂଗ୍ରେସର ଜି୨୩ର ସଦସ୍ୟ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ଖଡଗେଙ୍କ ପଛରେ ଜି୨୩ର ସବୁ ସଦସ୍ୟଙ୍କ ସମର୍ଥନ ରହିଛି । ଖଡଗେ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିପାରିବେ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଏହାରି ଭିତରେ ଓଡ଼ିଶା ଏବଂ ଆସାମ ଗସ୍ତ କରି ପ୍ରଚାରକୁ ଜୋରଦାର କରିଛନ୍ତି ଖଗଡେ । ବିଭିନ୍ନ ରାଜ୍ୟକୁ ଥରୁର ପ୍ରଚାରରେ ଯାଉଥିବା ବେଳେ ପିସିସି ସଭାପତିମାନେ ଉପସ୍ଥିତ ରହୁନଥିବା ଦେଖିବାକୁ ମଳୁଛି । ଗାନ୍ଧୀ ପରିବାରର ସମର୍ଥନ ଦୁଇ ପ୍ରାର୍ଥୀଙ୍କ ପ୍ରତି ନ ଥିବା ନିଜେ ସୋନିଆ ଏବଂ ରାହୁଲ ଗାନ୍ଧୀ କହିଥିଲେ । ତେବେ ପ୍ରଚାର ସମୟରେ ହେଉଥିବା ପାତରଅନ୍ତର ଗାନ୍ଧୀ ପରିବାରର ଭୂମିକାକୁ ସନ୍ଦେହ ଘେରକୁ ନେଇ ଆସିଛି ।