ଅର୍ଚ୍ଚନାଙ୍କ ନାଗ ଫାଶରେ ପ୍ରଭାବଶାଳୀ । ଦାମ ମାରିଲେ ବାଣ, କହିଲେ ସେବା ନୁହେଁ ଉପଭୋଗ କରିବାକୁ ରାଜନୀତି କରୁଛନ୍ତି ନେତା ।

269

କନକ ବ୍ୟୁରୋ : ଅର୍ଚ୍ଚନାଙ୍କ ସହ ବହୁ ନେତାଙ୍କ ଫଟୋ ସାମାନକୁ ଆସିବା ପରେ, ଆଉ କିଛି ନେତା ପ୍ରମାଦ ଗଣିବାରେ ଲାଗିଛନ୍ତି । କେତେବେଳେ ସେମାନଙ୍କ ଫଟୋ ଆସିଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ହେଲେ, ସମ୍ମାନହାନି ଭୟରେ ମୁହଁ ଖୋଲୁ ନାହାଁନ୍ତି । ଏତିକିବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । କଳାହାଣ୍ଡିରୁ ଆସି ଅର୍ଚ୍ଚନା ଭୁବନେଶ୍ୱରରେ ଏତେ ବଡ ସାମ୍ରାଜ୍ୟ କେମିତି ମେଲାଇଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ।

ବ୍ଲାକମେଲ ରାଣି ଅର୍ଚ୍ଚନା ନାଗଙ୍କ ସହ ଏକାଧିକ ନେତା, ବିଧାୟକଙ୍କ ଫଟୋ ସାମ୍ନାକୁ ଆସିବା ପରେ ତେଜିଛି ରାଜନୈତିକ ବୟାନବାଜି । ବଡକଥା ହେଉଛି ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ଫଟୋ ସାମ୍ନାକୁ ଆସି ସାରିଛି । ତେଣୁ ତେନାମାନେ ପ୍ରମାଦ ଗଣୁଛନ୍ତି କାଳେ ଆଉକାହା ନାଁ ସାମ୍ନାକୁ ଆସିଯିବ କି । ଟିଭି ଖୋଲିବାକୁ କିମ୍ବା ଫୋନ ଉଠାଇବାକୁ ଭୟ ଲାଗୁଥିବା କିଛିନେତା ମଧ୍ୟ କୁହାକୁହି ହେଲେଣି ବୋଲି ଶୁଣାଯଉଛି । ଏହାରି ଭିତରେ ବରିଷ୍ଠ ରାଜନେତା ଦାମୋଦର ରାଉତ କହିଛନ୍ତି, ସେବା ନୁହେଁ ଉପଭୋଗ କରିବାକୁ ରାଜନୀତି କରୁଛନ୍ତି ନେତା । କାହା ସହାୟତାରେ କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ଅର୍ଚ୍ଚନା ନାଗ ଏତେ ପ୍ରଭାବ ବିସ୍ତାର କଲେ ତାର ତଦନ୍ତ ହେଉ ।

ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହ ମାଳ ମାଳ ନେତା ଓ ବଡବଡିଆଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଡ ନେତାଙ୍କ ନାଁ ଆସିବା ପରେ କାଳେ ଆଉ କାହାର ଫଟୋ ସାମ୍ନାକୁ ଆସିଯିବ ତାକୁ ନେଇ ଛନକା ପଶିଛି । ଯେଉଁ ବଡ ବଡିଆଙ୍କ ନାଁ ଆସିଛି ସେମାନେ ଗଣମାଧ୍ୟମକୁ ଆସି ହେଉଥିବା ଚର୍ଚ୍ଚା, ଆଲୋଚନାକୁ ଖଣ୍ଡନ କରୁନାହାନ୍ତି । ଯାହା ରାଜନୈତିକ ବୟାନବାଜି ପାଇଁ ସୁଯୋଗ ଦେଇଛି ।

ଏସବୁ ଚର୍ଚ୍ଚା ଭିତରେ ଲୋକଙ୍କ ମନରେ ବି ନେତାଙ୍କ ଭୂମିକାକୁ ନେଇ ସନ୍ଦେହ ବଢୁଛି । ପୁରା ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାରୁ ପୋଲିସ ତଦନ୍ତର ଗତି କୁଆଡେ ଯିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ଲୋକଲଜ୍ଜା ଓ ସାମାଜିକ ଭାବମୂର୍ତି କ୍ଷୂର୍ଣ୍ଣ ହେବା ଭୟରେ କେହି ମୁହଁ ଖୋଲୁନାହାନ୍ତି । ଯାହା କାହାଣୀ ତିଆରି କରିବାକୁ ଅଧିକ ଖୋରାକ ଯୋଗାଇଛି । ବିରୋଧୀ ମଧ୍ୟ ସେହି କାହାଣୀ ଆଧାରରେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ଆଉ ବିରୋଧୀ ଦଳର ନେତାଙ୍କ ଫଟୋ ଘୁରି ବୁଲୁଥିବାରୁ ଶାସକ ଦଳ ବେଶୀ ପ୍ରତିକ୍ରିୟାଶୀଳ ହେଉନାହିଁ ।