ପାଖଉଛି ନିର୍ବାଚନ, ତେଜୁଛି ବୟାନ ବାଜୀ । କେନ୍ଦ୍ରମନ୍ତ୍ରୀ କହିଲେ ଗୁଜରାଟ ଆପର ପତନ ସୁନିଶ୍ଚିତ

73

କନକ ବ୍ୟୁରୋ : ଯେତିକି ପାଖଉଛି ଗୁଜରାଟ ବିଧାନସଭା ନିର୍ବାଚନ ସେତିକି ଉଷ୍ମତା ଭିତରେ ରହୁଛି ରାଜ୍ୟରାଜନୀତୀ । ଜାତୀୟ ଦଳ ବିଜେପି ସହ ଆଂଚଳିକ ଦଳ ଆମ ଆଦର୍ମୀ ପାର୍ଟିର ମୁହାଁମୁହିଁକୁ ନେଇ ଏବେ ସରଗରମ ଗୁଜରାଟ ରାଜନୀତି । ଆପ ନେତାଙ୍କ ବୟାନବାଜୀ ଓ ବିଜେପିର ଜବାବକୁ ନେଇ ଏବେ ଚାଲିଛି ଆରୋପ ପ୍ରତ୍ୟାରୋପ ।

କିଛି ଏଭଳି ଅନ୍ଦାଜରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆମ ଆଦମୀ ପାର୍ଟିର ଗୁଜରାଟ ପ୍ରଦେଶ ମୁଖ୍ୟ ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀ ଓ ତାଙ୍କ ମା ହୀରାବେନଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀ କିଛି ଏଭଳି ଢଙ୍ଗରେ ବର୍ଷିଛନ୍ତି । ସମ୍ପୂର୍ଣ୍ଣ ଘଟଣା ପାଇଁ ବିଜେପି ସିଧାସଳଖ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି ଓ ସବୁ କିଛି ତାଙ୍କ ଇସାରାରେ ହୋଇଥିବା ବିଜେପି କହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେଉଁ ଭୋଟ ରାଜନୀତି ପାଇଁ ଆପ ଏଭଳି ଆପତିଜନ ଶଦ୍ଧ ପ୍ରୟୋଗ କରି ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କୁ ଅସମ୍ମାନ ଜଣାଉଛି ତାର ଉଚିତ ଜବାବ ଗୁଜରାଟଟବାସୀ ଆଗାମୀ ନିର୍ବାଚନରେ ନିଶ୍ଚିତ ଦେବେ ।

ଘଟଣାକୁ ନେଇ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ମାଲବୀୟ କହିଛନ୍ତି ମହିଳାଙ୍କ ଉପରେ ଆପତିଜନକ ଶଦ୍ଧ କହିଥିବା ଅଭିଯୋଗ ଆଧାରରେ ଗୋପାଳ ଇଟାଲିଆଙ୍କୁ ପୁଲିସ ଅଟକ ରଖି ଜେରା କରିଛି ଓ ଆଗକୁ ମହିଳା କମିଶନ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ କରିବ । ଆପ ନେତାଙ୍କ ଏଭଳି ବୟାନ ଦେଶର ପ୍ରଧାନମନ୍ତ୍ରୀ, ମହିଳା ଓ ଗୁଜରାଟବାସୀଙ୍କ ପ୍ରତି ଅପମାନ ବୋଲି ମାଲବୀୟ କହିଛନ୍ତି ।

ଆମ ଆଦମୀ ପାର୍ଟି ଓ ବିଜେପିର ଏହି ଲଢେଇକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ କହିଛି ଯାହା ସବୁ ଘଟୁଛି ଏହା ପଛରେ ଉଭୟ ବିଜେପି ଓ ଆପର ହିଁ ହାତ ରହିଛି । ଦୁନିଆ ଆଗରେ ଦୁଇ ଦଳ ଡ୍ରାମା କରି ନିର୍ବାଚନ ପାଇଁ କିଭଳି ନିଜ ନିଜର ଭୋଟ ହାତେଇବେ ସେ ନେଇ ମିଳିତ ଖେଳ କରୁଥିବା କଂଗ୍ରେସ କହିଛି ।

ସେପ୍ଟେମ୍ବର ୧୩ ତାରିଖରେ ଆପ ନେତା ଗୋପାଳ ଇଟାଲିଆଙ୍କ ଏକ ଭିଡିଓକୁ ନେଇ ତୁମ୍ବି ତୋଫାନ ଦେଖା ଦେଇଥିଲା । ଭିଡିଓରେ ଆପ ନେତା ପ୍ରଧାନମନ୍ତ୍ରୀଙ୍କୁ ନିଚ୍ ଓ ତାଙ୍କ ମା ହୀରାବେନଙ୍କୁ ଡ୍ରାମେବାଜ କହୁଥିବା ଦେଖିବାକୁ ମିଳିଥିଲା । ସେପଟେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେ ଟ୍ୱିଟର୍ ଆକାଉଂଟ ତାଙ୍କର ନୁହେଁ ବୋଲି ଇଟାଲିୟା କହିଥିଲେ ।