କଂଗ୍ରେସ ସଭାପତି ହେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବାଦ୍ ପଡିଲେ ଶଶି ଥରୁର

200

କନକ ବ୍ୟୁରୋ: କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବଡ ନିଷ୍ପତି ନେବା ଆରମ୍ଭ କରିଛନ୍ତି ନୂଆ ସଭାପତି । ସିଡବ୍ଲୁସି ସ୍ଥାନରେ ସେ ନୂଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏଥିରେ କଂଗ୍ରେସ ୱାର୍କିଂ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କୁ ସାମିଲ କରାଯାଇଛି । କିନ୍ତୁ ନୂଆ ଟିମରେ ଶଶି ଥରୁରଙ୍କ ସ୍ଥାନ ନାହିଁ ।

ନିକଟରେ ଶଶି ଥରୁରୁ କଂଗ୍ରେସର ସଭାପତି ପଦ ପାଇଁ ନିର୍ବାଚନ ଲଢି ମଲ୍ଲିକାର୍ଜୁନ ଖଡଗେଙ୍କଠାରୁ ହାରି ଯାଇଥିଲେ । ନୂଆ ଟିମରେ ୪୭ ଜଣ ସ୍ଥାନ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂ, ଏ.କେ.ଆଂଟୋନି, ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ପ୍ରମୁଖ । ଏଥିସହ ଓଡିଶାରୁ ରହିଛନ୍ତି ଭକ୍ତ ଚରଣ ଦାସ । ଯିଏକି ବିହାରରେ କଂଗ୍ରେସର ପ୍ରଭାରୀ ରହିଛନ୍ତି ।

ସୂଚନା ମୁତାବକ, ଏହି କମିଟି କଂଗ୍ରେସରେ କିଛି ବଡ ନିଷ୍ପତି ନିଆଯାଇପାରେ । କଂଗ୍ରେସ ସଭାପତି ନିର୍ବାଚନ ସମୟରେ ଶଶି ଥରୁର କିଛି ଅଭିଯୋଗ ଆଣିଥିଲେ । ଭୋଟଗଣତି ଉପରେ ବି ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ କଂଗ୍ରେସ କିଛି ନେତା ଅସନ୍ତୁଷ୍ଟ ଥିଲେ । ଖଡଗେ ସଭାପତି ହେବା ପରେ ପରମ୍ପରା ଅନୁସାରେ ସିଡବ୍ଲୁସିର ସମସ୍ତ ସଦସ୍ୟ ଇସ୍ତଫା ଦେଇଥିଲେ । ପରମ୍ପରା ଅନୁସାରେ, ନୂଆ ସଭାପତି ନିର୍ବାଚନ ପରେ ସିଡବ୍ଲୁସିକୁ ଭାଙ୍ଗିଦିଆଯାଏ । ଦଳକୁ ଚଳାଇବା ପାଇଁ ସିଡବ୍ଲୁସି ସ୍ଥାନରେ ଷ୍ଟିୟରିଂ କମିଟି ଗଠନ ହୋଇଥାଏ । ନୂଆ କମିଟିରେ ଶଶି ଥରୁରୁଙ୍କୁ ସାମିଲ ନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇନାହିଁ । କିଛି ବଡ ନିଷ୍ପତ୍ତିି ନେଇପାରେ ନୂଆ କମିଟି । ଖୋଦ୍ ଶଶି ଥରୁର ବି ନିଜ ତରଫରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଦାୟିତ୍ୱ ଗ୍ରହଣ ପରେ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରୀୟ ନିର୍ବାଚନ ସମିିତି ବୈଠକର ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଗୁଜରାଟ ନିର୍ବାଚନ ଉପରେ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ନେତାଙ୍କ ସହ ସୋନିଆ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ ।