ଓଡ଼ିଶାରେ ଖଡଗେ । ପିସିସି ସଭ୍ୟଙ୍କୁ ଭେଟି ଦଳର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍ ଦେବାକୁ କଲେ ନିବେଦନ, କହିଲେ, କଂଗ୍ରେସର ଇସ୍ତାହାର ହିଁ ମୋର ଇସ୍ତାହାର ।

111

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଜୋରଦାର ପ୍ରଚାର । ବୁଲି ବୁଲି ସବୁ ରାଜ୍ୟରେ ପ୍ରଚାର କରୁଛନ୍ତି ଆଉ ସମର୍ଥନ ଲୋଡୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଆସି ତାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଭବନରେ ବରିଷ୍ଠ ନେତା ଓ ପିସିସି ସଭାପତିଙ୍କୁ ଭେଟି ନିଜ ପାଇଁ ସମର୍ଥନ ମାଗିଛନ୍ତି ।

କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଜୋରଦାର ପ୍ରଚାର କରୁଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି, ତାଙ୍କୁ ଭୋଟ ଦେବା ପାଇଁ ଅପିଲ୍ କରୁଛନ୍ତି । ଓଡ଼ିଶାରେ ପହଁଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ରାଜ୍ୟ କଂଗ୍ରେସ ନେତା । କଂଗ୍ରେସ ଭବନରେ ସାମ୍ବାଦିକଙ୍କୁ ଖଡ଼ଗେ କହିଛନ୍ତି, ବରିଷ୍ଠ ନେତା ଓ ପିସିସି ସଦସ୍ୟଙ୍କ ସମର୍ଥନ ମାଗିବାକୁ ସେ ଓଡ଼ିଶା ଆସିଛନ୍ତି । ତାଙ୍କର କିଛି ନୂଆ ଇସ୍ତାହାର ନାହିଁ, କଂଗ୍ରେସ ଇସ୍ତାହାର ହିଁ ତାଙ୍କର ଇସ୍ତାହାର ।

ଓଡ଼ିଶାରେ ପିସିସି ସଦସ୍ୟ ସଂଖ୍ୟା ୪୨୮ । ଏଆଇସିସି ସଭାପତି ପଦ ପାଇଁ ଓଡ଼ିଶାର ୪୨୮ କଂଗ୍ରେସ ନେତା ଭୋଟ ଦେବେ । ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଖଡ଼ଗେ । କଂଗ୍ରେସ ସଭାପତି ନିର୍ବାଚନ ଯେତିକି ପାଖେଇ ଆସୁଛି ଦୁଇ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢେଇର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଥରୁର କହିଛନ୍ତି, ଖଡ଼ଗେ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠାରେ ତାଙ୍କୁ ପିସିସି ସଭାପତି ଏବଂ ବିଧାୟକମାନେ ଯେଉଁଭଳି ସ୍ୱାଗତ କରୁଛନ୍ତି, ତାଙ୍କ କ୍ଷେତ୍ରରେ ସେପରି ହେଉନାହିଁ । ତାଙ୍କ ପ୍ରତି ଭେଦଭାବ କରାଯାଉଛି ।

ଏସବୁ ଭିତରେ ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ
ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ
ଅକ୍ଟୋବର ୧୯ରେ ଭୋଟ ଗଣନା ଓ ଫଳ ପ୍ରକାଶ
୯ ହଜାରରୁ ଅଧିକ ଏଆଇସିସି ଓ ପିସିସି ସଦସ୍ୟ ଭୋଟ ଦେବେ
୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ପରିବାରରୁ ସଭାପତି