କେନ୍ଦ୍ରାପଡ଼ାରେ ପାନୀୟ ଜଳ ପ୍ରକଳ୍ପକୁ ପ୍ରବଳ ବିରୋଧ । ରଣକ୍ଷେତ୍ର ପାଲଟିଲା ରାଜକନିକା । ଆମ୍ବୁଲାନ୍ସ, ଜେସିବି ଓ କଣ୍ଟେନର ଭାଙ୍ଗି ପକାଇଲେ ହଜାର ହଜାର ଆନ୍ଦୋଳନକାରୀ ।

112

କନକ ବ୍ୟୁରୋ: ପାଣି ପାଇଁ ମହାଭାରତ । ଖରସ୍ରୋତା ନଦୀରେ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ରଣକ୍ଷେତ୍ର ପାଲଟିଛି ରାଜକନିକା ଅଞ୍ଚଳ । ଆଜି ସକାଳେ ପ୍ରକଳ୍ପ ହେଉଥିବା ସ୍ଥାନ ବରୁଣଡିହାକୁ ଆସି ଯାଇଥିଲେ ଆନ୍ଦୋଳନକାରୀ ଆଉ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା । ସ୍ଥାନୀୟ ଲୋକେ, ମହିଳା, ଛୋଟ ପିଲା, ସମସ୍ତେ ରାସ୍ତାକୁ ଓହ୍ଲାଇ ଆସିଥିଲେ ଆଉ ସମସ୍ତଙ୍କର ଲକ୍ଷ୍ୟ ଥିଲା, ପ୍ରକଳ୍ପ ଅଞ୍ଚଳରେ ଭଙ୍ଗାରୁଜା କରିବା, କୌଣସି ପରିସ୍ଥିତିରେ ହେଉ, ପ୍ରକଳ୍ପ କାମକୁ ବନ୍ଦ କରିବା ।

ସ୍ଥିତି ଏମିତି ଥିଲେ ଯେ, ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ବି ଛାଡି ନଥିଲେ । ପ୍ରକଳ୍ପ କରୁଥିବା କମ୍ପାନୀର ଟ୍ୟାଙ୍କରକୁ ବି ଭାଙ୍ଗି ଦେଇଥିଲେ ଆନ୍ଦୋଳନକାରୀ । ଏଥିସହ ୪ଟି ଜେସିବି, ୩ କଣ୍ଟେନର ଏବଂ ସେଠାରେ ଲାଗିଥିବା ଲାଇଟ୍ ଗୁଡିକୁ ଭାଙ୍ଗି ଦେଇଥିଲେ ।

ଆନ୍ଦୋଳନକାରୀଙ୍କ ଏଭଳି ଆଭିମୁଖ୍ୟ ଦେଖି ପୁଲିସ ବି ଶାନ୍ତ ପଡି ଯାଇଥିଲା । କାରଣ ପରିସ୍ଥିତି ଏପରି ଥିଲା, ଯଦି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି, ତେବେ ପରିସ୍ଥିତି ଅଣାୟତ୍ତ ହୋଇ ପଡିଥାନ୍ତା । ଆନ୍ଦୋଳନକାରୀଙ୍କ ଦାବି ହେଉଛି, ଯଦି ପ୍ରକଳ୍ପ କରିବାର ଅଛି ପ୍ରଥମେ ବ୍ୟାରେଜ କର, ତା’ପରେ ପ୍ରକଳ୍ପ କର ।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳକୁ ପାନୀୟ ଜଳ ଯୋଗାଇବା ପାଇଁ କରାଯାଉଥିବା ଏହି ପ୍ରକଳ୍ପକୁ ଗତବର୍ଷ ନଭେମ୍ବର ମାସରୁ ବିରୋଧ କରାଯାଉଛି ଏବଂ ଏହି ବିରୋଧରେ ସ୍ଥାନୀୟ କଂଗ୍ରେସ, ବିଜେପି ଓ ବାମଦଳମାନେ ସବୁ ମିଶି ଯାଇଛନ୍ତି । ଲୋକଙ୍କ ଧାରଣା ହେଉଛି, ଖରସ୍ରୋତାରୁ ପାଣି ନେଲେ ନଦୀର ଜଳସ୍ତର କମିଯିବ ଏବଂ ଲୁଣାପାଣି ଉଠି ଆସିବ । ଏହାଦ୍ୱାରା ଚାଷ ଜମିରେ ଲୁଣଚରି ଯିବ ଏବଂ ଭଲ ଚାଷ ହେବ ନାହିଁ ।