ଯୁକ୍ତ ଦୁଇରେ ନାମଲେଖା ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା । କଟଅଫ୍ ମାର୍କକୁ ନେଇ ବଢିଲା ଦ୍ୱନ୍ଦ୍ୱ ।

153

କନକ ବ୍ୟୁରୋ: ରାଜ୍ୟର ନାମୀ କଲେଜ ଗୁଡିକରେ କେତେ ରହିବ କଟ-ଅଫ ମାର୍କ ? ମାଟ୍ରିକ ପରୀକ୍ଷାରେ ୨୬୫୬ ଜଣ ଛାତ୍ରଛାତ୍ରୀ ଏ ୱାନ୍ ଗ୍ରେଡ ବା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବା ପରେ କଟ-ଅଫ ମାର୍କକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଆଡମିସନ ପାଇଁ ଆବେଦନ ପ୍ରକ୍ରିୟା ।

ରେକର୍ଡ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପାସ କରିବା ପରେ ଏ ୱାନ୍, ଏ ଗ୍ରେଡ ଏବଂ ଅନ୍ୟ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଏ-ୱାନରେ ୨୬୫୬, ଏ-୨ରେ ୨୨,୧୩୩, ବି-୧ରେ ୫୨,୩୦୧ ,ବି-୨ରେ ୯୪, ୪୯୮ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ଫଳାଫଳ ଭଲ ହୋଇଥିବାରୁ ରାଜ୍ୟର ଅଗ୍ରଣୀ ଏବଂ ନାମୀ କଲେଜରେ ପାଠ ପଢିବା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ଆଖି ରହିଛି । ତେଣୁ ଏବେ କଲେଜ ଗୁଡିକର କଟ-ଅଫ ମାର୍କ କେତେ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ରେଭେନ୍ସା ଜୁନିଅର କଲେଜ, ବିଜେବି, ରମାଦେବୀ ଭଳି କଲେଜଗୁଡିକରେ କେତେ ରହିବ କଟ-ଅଫ, ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।

ଗତବର୍ଷର ସର୍ବାଧିକ କଟ-ଅଫ ଥିବା ତିନୋଟି କଲେଜ ଉପରେ ନଜର ପକାଇଲେ ଜଣାପଡୁଛି ଯେ, ଗତଥର ବିଜ୍ଞାନ, କଳା ଓ ବାଣିଜ୍ୟରେ ଯେଉଁ ହାରରେ କଟଅଫ୍ ମାର୍କ ରହିଥିଲା ଏଥର ବିଜ୍ଞାନରେ କଟଅଫ୍ ମାର୍କ ବେଶୀ ହୁଏତ ବଢ଼ି ନପାରେ । କିନ୍ତୁ କଳା ଓ ବାଣିଜ୍ୟ କ୍ଷେତ୍ରରେ ଗତ ବର୍ଷ ଅପେକ୍ଷା ଏଥର କଟଅଫ୍ ମାର୍କ ଯଥେଷ୍ଟ ଅଧିକ ରହିବାର ସମ୍ଭାବନା ରହିଛି ।

ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆବେଦନ ପ୍ରକ୍ରିୟାରେ ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ । ପ୍ରଥମ ପର୍ଯ୍ୟାୟ ନାମଲେଖା ୧୪ ରୁ ୨୧ ତାରିଖ ମଧ୍ୟରେ ହେବ । ୨୭ ସେପ୍ଟେମ୍ବରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୨୯ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ପ୍ରକ୍ରିୟା ।