କର୍ଣ୍ଣାଟକରେ ବଢୁଛି ଛୋଟ ପିଲାଙ୍କୁ ସଂକ୍ରମଣ । ଅଗଷ୍ଟ ମାସର ପ୍ରଥମ ୧୦ ଦିନରେ ସଂକ୍ରମିତ ହେଲେଣି ୪୮୮ ପିଲା । ମିଜୋରାମରେ ପ୍ରଥମ ୧୦ ଦିନରେ ୧୨୮ ଜଣ ପିଲାଙ୍କୁ କରୋନା ।

170

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେଉଛନ୍ତି ଛୋଟ ପିଲା । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରୁ ଆସିଛି ଏହି ଚିନ୍ତାଜନକ ଖବର । ବାଙ୍ଗାଲୋରରେ ଚଳିତ ମାସର ୧୦ ଦିନ ଭିତରେ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ଓଡିଶାରେ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱାସ୍ଥ୍ୟ ବିଭାଗ ।

ଅଗଷ୍ଟ ପହିଲାରୁ ୧୦ ତାରିଖ ଭିତରେ ବେଙ୍ଗାଲୁରରେ ୪୮୮ ଛୋଟ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତା ସହିତ ମିଜୋରାମରେ ୧୨୮ ଶିଶୁ ମହାମାରୀରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଚେତନ ହେବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛି । କର୍ଣ୍ଣାଟକ ଓ ମିଜୋରାମରେ ଅଗଷ୍ଟର ପ୍ରଥମ ୧୦ ଦିନରେ ୫୭୬ ଶିଶୁ ଓ କିଶୋର କରୋନାରେ ସଂକ୍ରମିତ ହୋଇଛନ୍ତି ।

ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ନେଇ ଆଶଙ୍କା କରୁଥିଲେ ବିଶେଷଜ୍ଞ ଡାକ୍ତର । ଏବେ କର୍ଣ୍ଣାଟକ ଓ ମିଜୋରାମରେ ୫ଶହରୁ ଅଧିକ ଛୋଟପିଲା ଆକ୍ରାନ୍ତ ହେବା ତୃତୀୟ ଲହର ଚର୍ଚ୍ଚାକୁ ବଢାଇ ଦେଇଛି । ଶିଶୁଙ୍କୁ କିପରି ସଂକ୍ରମଣରୁ ରୋକା ଯାଇପାରିବ ତାହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏବେ ବଡ ଚ୍ୟାଲେଞ୍ଜ ହୋଇଛି । ସେପଟେ ତୃତୀୟ ଲହରକୁ ନେଇ ପ୍ରସ୍ତୁତ ହେଉଛି ଓଡିଶା । ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗଣମାଧ୍ୟମ ଆଗକୁ ଆସି କହିଛନ୍ତି, ଓଡିଶା ସରକାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ କର୍ଣ୍ଣାଟକ ଓ ମିଜୋରାମରେ ଛୋଟ ପିଲାଙ୍କୁ ସଂକ୍ରମଣ ଘଟଣା ଏକ ଚିନ୍ତାର କାରଣ ହୋଇଛି ।