ନରବଳି ପରେ ଖାଇଥିଲେ ନରମାଂସ,ସାମ୍ନାକୁ ଆସିଲା ହତ୍ୟାକାରୀଙ୍କ ବର୍ବରତା

185

କନକ ବ୍ୟୁରୋ : କେରଳର ପଥନାମଥିଟ୍ଟା ନରବଳୀ ଘଟଣାକୁ ନେଇ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ଅଭିଯୁକ୍ତ ଦମ୍ପତି ଧନୀ ହେବା ଆଶାରେ କିଭଳି ବର୍ବରତାର ସବୁ ସୀମା ଟପି ଦୁଇ ମହିଳାଙ୍କୁ ବଳି ଦେଇଥିଲେ ଏବଂ ଏହା ପରେ ମୃତଦେହକୁ ୬୧ ଖଣ୍ଡ କରି କାଟି ଏକ ବାଲଟିରେ ଭର୍ତି କରିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ବଡ କଥା ହେଉଛି, ନରବଳୀ ପରେ ନରମାଂସରେ ଭୋଜି କରିଥିଲେ ନରପିଶାଚ । ଏହି ମାଂସ ଖଣ୍ଡକୁ ସେମାନେ ରୋଷେଇ କରି ଖାଇଥିଲେ । ପୋଲିସର କହିବାନୁୟାୟୀ, ଅଭିଯୁକ୍ତ ପ୍ରଥମେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ପରେ ତଂଟି କାଟି ବଳି ଚଢାଇଥିଲେ । ଏହା ପରେ ମୃତଦେହକୁ କିଛି ଖଣ୍ଡ କରି ରୋଷେଇ କରି ଖାଇଥିଲେ ଏବଂ ବାକି ଖଣ୍ଡ ଗୁଡିକୁ ୩ଟି ସ୍ଥାନରେ ପୋତି ଦେଇଥିଲେ । ତେବେ ଯୌବନ ଫେରିପାଇବା ପାଇଁ ଏଭଳି କାଣ୍ଡ ଭିଆଇଥିବା ଜେରା ବେଳେ ସ୍ୱୀକାର କରିଛି ମୁଖ୍ୟ ଅଭିଯୁକ୍ତ ।

କେରଳ ନରହତ୍ୟାର ୨ ମୃତ ମହିଳା ହେଉଛନ୍ତି ପି. ପଦ୍ମା ଓ ରୋସଲି । ଏମାନେ ଲଟେରୀ ଟିକେଟ ବିକ୍ରି କରି ଗୁଜରାଣ ମେଂଟାଉଥିଲେ । ହେଲେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସଫି ସେମାନଙ୍କୁ ପର୍ନୋଗ୍ରାଫି ଫିଲ୍ମରେ ଅଭିନୟର ସୁଯୋଗ ଦେବା ସହ ମାସିକ ୧୦ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲା । ଅନ୍ୟପଟେ ଧନୀ ହେବା ପାଇଁ ହେଲେ ମଣିଷ ବଳି ଦେବାକୁ ପଡିଥାଏ ବୋଲି ଅଭିଯୁକ୍ତ ଦମ୍ପତିଙ୍କୁ ଲୋଭ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି । ଶେଷରେ ୩ ଅଭିଯୁକ୍ତ ମିଶି ଉଭୟ ମହିଳାଙ୍କୁ ଅତି ବର୍ବର ଭାବେ ହତ୍ୟା କରିବା ପରେ ସେମାନଙ୍କ ମାଂସରେ ଭୋଜି କରିଥିଲେ । ସେପଟେ ଘଟଣାକୁ ନେଇ ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ।

ପୂର୍ବରୁ ଅନେକ ନରବଳୀ ଘଟଣା ସାମ୍ନାକୁ ଆସିଛି, ହେଲେ କେରଳର ଏ ବର୍ବରତା ସହଜରେ ବିଶ୍ୱାସ କରିହେବନି । ପୋଲିସ ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । କୋର୍ଟ ଏମାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।