ଦେଖ ସରକାର ଦେଖ… ରାସ୍ତା କରିଛ ନା ସୁଇମିଂ ପୁଲ୍ । ଗାଡି ଗଡୁଛି କମ୍, ଲୋକେ ଗାଧୋଉଛନ୍ତି ଅଧିକ । ବର୍ଷା ହେଲେ ପୋଖରୀ ପାଲଟୁଛି ରାସ୍ତା ।

1,027

କନକ ବ୍ୟୁରୋ : ସଡକ ନୁହେଁ, ସୁଇମିଂ ପୁଲ୍ । ଜଳାଶୟ ନୁହେଁ, ଜରାଜୀର୍ଣ୍ଣ ରାଜପଥ । ବିକାଶର ନାରା ଦେଇ ଶୋଇଥିବା ସରକାରଙ୍କୁ ଉଠାଇବାକୁ ନିଆରା ପ୍ରୟାସ । ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଶାଳପଡା ସର୍ଭିସ ରୋଡର । ଏହି ରାସ୍ତା ଦେଇ ପ୍ରତିଦିନ ସରକାରୀ ବାବୁମାନଙ୍କ ଠାରୁ ଆରମ୍ଭ କରି ନେତା ଏବଂ ଜନ ପ୍ରତିନିଧି ଯାତାୟତ କରନ୍ତି । କିନ୍ତୁ ଆଜି ଯାଏଁ ଏହି ଜରାଜୀର୍ଣ୍ଣ ଜାତୀୟ ରାଜପଥ ଉପରେ କାହାରି ଦୃଷ୍ଟି ପଡୁନାହିଁ ।

ଜାତୀୟ ରାଜପଥ କାମ ସାରିଦେଇ ଠିକା ସଂସ୍ଥା ଲୋକଙ୍କଠାରୁ ଟୋଲ୍ ଆଦାୟ କରିଚାଲିଛି । କିନ୍ତୁ ରାସ୍ତା କାମ ଅଧାପନ୍ତରିଆ ଭାବେ ରହିଥିବା ବେଳେ ଏମିତି ଦୃଶ୍ୟ ସମସ୍ତଙ୍କୁ ଅସୁବିଧା ପକାଉଛି । ବର୍ଷା ଯୋଗୁଁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ଅଂଟାଏ ଲେଖାଏଁ ପାଣି ଜମିରହିଛି । ଯେଉଁଥିପାଇଁ ଏକ କ୍ଲବର ସଦସ୍ୟମାନେ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଏହି କୃତ୍ରିମ ପୋଖରୀରେ ଗାଧୋଇ ପ୍ରତିବାଦ କରିବା ସହ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି ।

କିଛିଦିନ ତଳେ ଏମିତି ହିଁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଠି ଆଷ୍ଟ୍ରୋନଟ୍ ବେଶରେ ଜଣେ ଯୁବକ ମଝି ରାସ୍ତାରେ କରିଥିବା ମୁନ୍ ୱାକ୍ ସମସ୍ତଙ୍କୁ ଚକିତ କରିଥିଲା । ଶୋଇଥିବା ସରକାରଙ୍କୁ ଉଠାଇବା ପାଇଁ ଏଭଳି ନିଆରା ପ୍ରତିବାଦ କରିଥିଲେ ବାଙ୍ଗାଲୋରର ଜଣେ ଯୁବକ । ଯାହା ସୋସିଆଲ ମିଡ଼ିଆରୁ ବେଶ୍ ଚର୍ଚ୍ଚାକୁ ଆସିଥିଲା ।

ତେବେ ରାସ୍ତା ନିର୍ମାଣ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ପ୍ରକୃତ ଚିତ୍ର ଆପଣ ସବୁଦିନେ ରାସ୍ତାରେ ଦେଖିପାରୁଥିବେ । ଏଭଳି ରାସ୍ତା ପାଇଁ ଦିନକୁ କେତେ ଯେ ଦୁର୍ଘଟଣା ଘଟୁଛି, ତାର ହିସାବ ନାହିଁ । ଏପରିକି ମରଣଯନ୍ତା ସାଜିଥିବା ଏହି ରାସ୍ତା ଅନେକଙ୍କ ପାଇଁ ଶେଷ ଠିକଣା ମଧ୍ୟ ପାଲଟିଯାଉଛି । ତେବେ ଆମେ ଆଶା କରୁଛୁ, ସରକାର ଏ ଦୃଶ୍ୟ ଦେଖିବା ପରେ ଏଥିପ୍ରତି ଦୃଷ୍ଟି ଦେବେ ଆଉ ସୁଇମିଙ୍ଗ୍ ପୁଲ୍ ଭଳି ଭ୍ରମ ସୃଷ୍ଟି କରୁଥିବା ଏଭଳି ରାଜପଥକୁ ଜୀବନ୍ୟାସ ଦେବେ ଏବଂ ଲୋକଙ୍କ ସମସ୍ୟା ଦୂର କରିବେ ।