ରାସ୍ତାରେ ଗଡିବ ରାଜାଙ୍କ ପୁରୁଣା ଭିଣ୍ଟେଜ କାର । ଚର୍ଚ୍ଚାରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କ କାର ଓ ଗାଡ଼ି ସଉକ ।

157

କନକ ବ୍ୟୁରୋ: ଚର୍ଚ୍ଚାରେ କେନ୍ଦୁଝର ରାଜାଙ୍କ କାର ଓ ବାଇକ୍ । ଶହେରୁ ଅଧିକ ପୁରୁଣା କାର ଓ ବାଇକ୍ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୧୯୩୯ ମସିହାର ଉଲଜଲି କାର, ୧୯୪୨ ମସିହାର ଫୋର ଜିପିଡବ୍ଲ୍ୟୁ ଜିପ୍ ଓ ୧୯୫୩ର ମୋରିସ୍ ମାଇନର, ଡଜ୍, ପ୍ଲିମଥ୍, ଆମ୍ବାସଡ଼ର ମାର୍କଟୁ, ଷ୍ଟାଣ୍ଡାର୍ଡ ହେରଲ୍ନ ସେଭ୍ରଲେଟ୍ ଓ ଅଷ୍ଟିନ ପରି ରହିଛି ଅନେକ ପୁରୁଣା କାର । ଏବେ ରାସ୍ତାରେ ଚାଲିବ ଭିଣ୍ଟେଜ୍ ଏବଂ କ୍ଲାସିକ୍ କାର । ଯାହାକୁ ନେଇ ଜିଲ୍ଲାବାସୀ ବେଶ ଉତ୍ସାହିତ ଅଛନ୍ତି । ସେହିପରି ୬୦ ଦଶକର ଜାୱା, ରୟାଲ ଏନଫିଲ୍ଡ ନର୍ଟନ, ୟାମାହା ଆରଡ଼ି ୩୫୦ ପରି ବାଇକ ମଧ୍ୟ ପୁନରୁଦ୍ଧାର କରାଯାଉଛି । ପୁରୁଣା ଗାଡ଼ି ରଖି ସେସବୁ ସଜାଡ଼ିବାର ସଉକ୍ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓଙ୍କର ରହିଛି । ୧୦ ବର୍ଷ ପୂର୍ବରୁ ପୁରୁଣା ଭିଣ୍ଟେଜ୍, କ୍ଲାସିକ୍ କାର ଓ ବାଇକ୍ ଏକାଠି କରିବା ଆରମ୍ଭ କରିଥିଲେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ବହୁ ଅର୍ଥ ବ୍ୟୟ ଓ ପରିଶ୍ରମରେ ନିଜସ୍ୱ ପରିଶ୍ରମ କରି ଏସବୁ ଗାଡ଼ିର ପୁନରୁଦ୍ଧାର କରୁଛନ୍ତି ରାଜା । କରୋନା ସମୟରେ ଦିନ ରାତି ପରିଶ୍ରମ କରି ସେ ଏଥିରେ ସଫଳତା ପାଇଥିଲେ । ଏବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ପୁରୁଣା ଗାଡ଼ିର ଏନଓସି ସହିତ ପଞ୍ଜୀକରଣ ସମ୍ଭବ ହୋଇପାରିବ । ରାସ୍ତା ତଥା ସର୍ବସାଧାରଣ ସ୍ଥାନରେ ଏବେ ଗଡ଼ିବ ରାଜାଙ୍କର ଏହି ପୁରୁଣା ଗାଡ଼ି ।