କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି: ବଢିଲା ଜେଲ ରହଣି ଅବଧି, ଏପ୍ରିଲ ୨୩ ପର୍ଯ୍ୟନ୍ତ ନାୟିକ ହେପାଜତ ଅବଧିକୁ ବଢାଇଲେ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟ

96

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସେପଟେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ଜେଲ ରହଣି ଅବଧିରୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଗୋଟିଏ ଦିନରେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ଝଟ୍କା ଲାଗିଛି । ଗୋଟିଏ ପଟେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏହାପରେ ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନାୟିକ ହେପାଜତ ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇ ଏପ୍ରିଲ ୧ରେ ତିହାର ଜେଲ୍ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାହାକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ।

ସୋମବାର କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବାରୁ ଇଡି ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରିଥିଲା । ଏହାପରେ ଦିଲ୍ଲୀ ରାଉଜ୍ ଏଭେନ୍ୟୁ କୋର୍ଟ ତାଙ୍କ ଜେଲ ରହଣୀ ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ ମଧ୍ୟ କେଜ୍୍ରିୱାଲଙ୍କ ଗିରଫଦାରୀ ବିରୋଧରେ ତ୍ୱରିତ ଶୁଣାଣି ନେଇ ମନା କରିଛନ୍ତି । ଏ ମାମଲାରେ ପରବର୍ତୀ ଶୁଣାଣି ଏପ୍ରିଲ ୨୯ରେ କରିବେ ସର୍ବୋଚ୍ଚନ୍ୟାୟାଳୟ । ସେପଟେ, କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ରଖିବାକୁ ଇଡିକୁ ନୋଟିସ୍ କରିଛନ୍ତି । ଏହାରି ଭିତରେ ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ କେ କବିଥାଙ୍କ ନ୍ୟାୟିକ ହେପାଜତ ଅବଧିକୁ ମଧ୍ୟ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି କୋର୍ଟ ।