୨୨ ବର୍ଷର ଅପେକ୍ଷା ପରେ ‘କେବିସି’ ହଟସିଟରେ ପହଞ୍ଚିଲେ ସତ୍ୟନାରାୟଣ । କହିଲେ, ଅମିତାଭଙ୍କୁ ଭେଟିବା ଥିଲା ସ୍ୱପ୍ନ, ଯାହା ଏବେ ସତ ହେଇଛି ।

170

କନକ ବ୍ୟୁରୋ: ‘‘କୌନ ବନେଗା କରୋଡପତିରେ ପହଞ୍ଚିବାକୁ ମୁଁ ୨୨ ବର୍ଷ ୧ ମାସ ୯ ଦିନ ଅପେକ୍ଷା କରିଛି । ମୋର ଆଜି ବି ମନେ ଅଛି, ମୁଁ ଯେତେବେଳେ ମୁମ୍ବାଇରେ ମୋ କଲେଜ ପାଠପଢା ଜାରି ରଖିଥିଲି । ସେତେବେଳେ ପ୍ରତି ରବିବାର ଅମିତାଭ ବଚ୍ଚନ ତାଙ୍କ ବାଲକୋନିକୁ ଆସି ତାଙ୍କ ଫ୍ୟାନ୍ସଙ୍କୁ ଦେଖା ଦେଉଥିଲେ । ହେଲେ ଅନେକ ଚେଷ୍ଟା ପରେ ବି ମୁଁ ଅମିତାଭଙ୍କୁ ଦେଖିପାରିନଥିଲି । ଆଉ ଏବେ କେବିସି ସାହାଯ୍ୟରେ ସେହି ସ୍ୱପ୍ନ ସତ ହୋଇଛି’’, ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ କୌନ ବନେଗା କରୋଡପତିରେ ଭାଗ ନେଇ ଜଣେ ପ୍ରତିଯୋଗୀ ତାଙ୍କ ଜୀବନର ଏହି କୌତୁହଳ କଥାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ।

ଅସଲ କଥା ହେଉଛି, ସୋନୀ ଟିଭିରେ ଏବେ ଅମିତାଭ ବଚ୍ଚନଙ୍କ ଦ୍ୱାରା ଉପସ୍ଥାପିତ ହେଉଥିବା ମେଗା ରିଆଲିଟି ଶୋ’ କୌନ ବନେଗା କରୋଡପତି ପ୍ରସାରିତ ହେଉଛି । ଯେଉଁଥିରେ ବେଙ୍ଗାଲୁରୁ ସହରର ଜଣେ ବ୍ୟାଙ୍କ୍ ଅଫିସର ସତ୍ୟନାରାୟଣ ସୁବାରାୟା ଯୋଗ ଦେଇଥିଲେ । ତେବେ ହଟସିଟକୁ ଆସିବା ପରେ ସେ ଅମିତାଭ ବଚ୍ଚନ, କେବିସି ଓ ତାଙ୍କ ଜୀବନକୁ ନେଇ ଯେଉଁ କଥା କହିଥିଲେ ତାହା ଅନେକଙ୍କୁ ଆଶ୍ଚଯ୍ୟ କରିଥିଲା ।

କେବିସି ହଟସିଟରେ ପହଞ୍ଚିବାକୁ ସେ ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା କହିଥିଲେ । ଖାସ୍ କରି ନିଜ ପ୍ରିୟ ଅଭିନେତା ଅମିତାଭ ବଚ୍ଚନଙ୍କୁ ପାଖରେ ପାଇଁ ତାଙ୍କ କଲେଜ ଦିନର ଅଧୁରା ସ୍ୱପ୍ନ ପୂରଣ ହୋଇଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌନ ବନେଗା କୋରଡପତି ଆରମ୍ଭ ହେବା ଦିନରୁ ସେ ଏହି ଶୋ ଦେଖୁଛନ୍ତି । ଆଉ କେବିସି ଆରମ୍ଭ ହେବା ଦିନରୁ ସେ ଏହି ଶୋ’ରେ ଅଂଶଗ୍ରହଣ କରିବାକୁ ଆଶା ବାନ୍ଧି ବସିଥିଲେ । ଯାହା ଏବେ ସତ ହେଇଛି ।

ସୂଚନାଯୋଗ୍ୟ ଯେ, କୌନ୍ ବନେଗା କରୋଡପତି ଶୋ’ ସୋନୀ ଟିଭି ସହ ଓଟିଟି ପ୍ଲାଟଫର୍ମ ସୋନିଲିଭରେ ପ୍ରସାରିତ ହେଉଛି । ଯେଉଁଥିରେ ଉପସ୍ଥାପକ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରିବା ସହିତ କୋଟିପତି ହେବାର ସୁଯୋଗ ଦେଇଥାନ୍ତି ।