ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସ୍ୱାଧୀନତା ଦିବସରେ ବଡ ସଭା ଆୟୋଜନ ନକରିବାକୁ କେନ୍ଦ୍ରର ନିର୍ଦ୍ଦେଶ ।

77

କନକ ବ୍ୟୁରୋ : ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ବିରାଟ ସମାବେଶରୁ ଦୂରେଇ ରହିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  କେନ୍ଦ୍ର ସରକାର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ପରିଷ୍କାର କରିବା ପାଇଁ ମଧ୍ୟ କେନ୍ଦ୍ର ଅନୁରୋଧ କରିଛି ।
ତେବେ ଏହି ସମୟରେ, ଅନେକ ରାଜ୍ୟ ମାସ୍କକୁ ବାଧ୍ୟତାମୂଳକ କରିବା ସହିତ କୋଭିଡ-୧୯ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଆରମ୍ଭ କରିଛନ୍ତି । ଦିଲ୍ଲୀ ସରକାର ଏହି ସପ୍ତାହରେ ମାସ୍କ ପିିନ୍ଧିବାକୁ ବାଧ୍ୟତାମୂଳକ କରି କହିଛନ୍ତି ଯେ, ଏହି ଆଦେଶ ଉଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, କୋଭିଡ୍-୧୯କୁ ରୋକିବାକୁ ଯାଇ । ବର୍ତ୍ତମାନ ବଡ ବଡ ସଭାରୁ ରାଜ୍ୟ ସରକାରମାନେ ଦୂରେଇ ରୁହନ୍ତୁ । ତା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଗାଇଡଲାଇନର ମଧ୍ୟ ପାଳନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ଦେଶରେ ଦୈନିକ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ସଂଖ୍ୟା ଗୁରୁବାରଠାରୁ ବୃଦ୍ଧି ପାଇ ସାଢ଼େ୧୬ ହଜାର ଉପରେ ରହିଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୪୯ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୫୬୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୨୩,୫୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୯ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫,୨୬,୯୨୮ରେ ପହଞ୍ଚିଛି ।