କଚାତିବୁ ଦ୍ୱୀପ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା । କହିଲା, ଭାରତରେ ଆଭ୍ୟନ୍ତରୀଣ ବିତର୍କ ଚାଲିଛି, ଏନେଇ କଲମ୍ବୋ ସହ ହୋଇନି କୌଣସି ଆଲୋଚନା

184

କନକ ବ୍ୟୁରୋ : କଚାତିବୁ ଦ୍ୱୀପକୁ ନେଇ ବିବାଦ ବଢ଼ୁଥିବା ବେଳେ ଶ୍ରୀଲଙ୍କା ମୁହଁ ଖୋଲିଛି । ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରି ପ୍ରତିକ୍ରିୟା ରଖି କହିଛନ୍ତି ଯେ, “କୌଣସି ବିବାଦ ନାହିଁ, ବରଂ ଭାରତରେ ଏନେଇ ଏକ ଆଭ୍ୟନ୍ତରୀଣ ବିତର୍କ ଚାଲିଛି । ଏହାକୁ ଛାଡ଼ିଲେ, କାଚାତିବୁ ଉପରେ କେହି ଅଧିକାର ଜାହିର କରୁନାହାନ୍ତି’ । ଶ୍ରୀଲଙ୍କାର ଜଳଯୋଗାଣ ମନ୍ତ୍ରୀ ଜୀବନ ଥୋଣ୍ଡାମାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “କଚାତିବୁ ଦ୍ୱୀପ ଶ୍ରୀଲଙ୍କାର ସୀମା ଭିତରେ ପଡ଼ୁଛି । ଶ୍ରୀଲଙ୍କର ସହ ମୋଦୀ ସରକାରଙ୍କ ସମ୍ପର୍କ ଭଲ । କଚାତିବୁ ଦ୍ୱୀପର ଅଧିକାର ଫେରାଇବା ନେଇ ଭାରତ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଆସି ନାହିଁ । ଯଦି ଭାରତ ପକ୍ଷରୁ କୌଣସି ପ୍ରସ୍ତାବ ଆସେ, ଏହାପରେ ଏହାର ଉତର ରଖାଯିବ’

ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରସଙ୍ଗ ଉଠାଇବା ପରଠୁ ବିବାଦ ବଢ଼ିଛି । ବିଜେପି ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛି । ସେପଟେ କଂଗ୍ରେସ ଓ ଡିଏମକେ ମୋଦୀ ସରକାରକୁ ସମାଲୋଚନା କରିଛି । ରାଜନୈତିକ ଫାଇଦା ଉଠାଇବାକୁ ବିଜେପି ଏବେ ଏହି ପ୍ରସଙ୍ଗ ଉଠାଉଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କହିଛନ୍ତି, “ମୋଦୀ ସରକାରକୁ ଏବେ କାହିଁ ଏହି ପ୍ରସଙ୍ଗ ମନେପଡ଼ିଲା । ୧୦ ବର୍ଷ ହେଲା ମୋଦୀ ସରକାର କରୁଥିଲେ କ’ଣ? ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ବୈଦେଶିକମନ୍ତ୍ରୀ ଜୟଶଙ୍କରଙ୍କୁ ସମାଲୋଚନା କରିଥିବା ବେଳେ ସେ ଏହାର ଜବାବ ରଖିଛନ୍ତି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଦୀପ ରହିଥିବା ବେଳେ ଏଠାରେ କୌଣସି ଜନବସତି ନାହିଁ । ବ୍ରିଟିଶ ଶାସନ ଅମଳରେ ବ୍ରିଟିଶ ନୌସେନା ଏହି ଦ୍ୱୀପକୁ ବ୍ୟବହାର କରିଥିଲା । ତେବେ ସ୍ୱାଧୀନତା ପରେ ବି କାଚାତିବୁ ଦୀପକୁ ନେଇ ବିବାଦ ଲାଗିରହିଥିଲା । ତେବେ ୧୯୭୪ରେ କଚାତିବୁ ଦ୍ୱୀପ ଉପରେ ଶ୍ରୀଲଙ୍କାର ଅଧିକାରକୁ ଭାରତ ମାନିନେଇଥିଲା, ଆଉ କଲମ୍ବୋକୁ ଏହାକୁ ହସନ୍ତାନ୍ତର କରାଯାଇଥିଲା । ହେଲେ ସେତେବେଳେ ତାମିଲନାଡୁର ମତ୍ସ୍ୟଜୀବୀମାନେ ଏହାକୁ ନେଇ ବିକ୍ଷୋଭ କରିଥିଲେ । ୨୦୧୧ରେ ସେତେବେଳର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏଥିରେ ଶ୍ରୀଲଙ୍କାକୁ ଏହି ଦୀପ ହସନ୍ତାନ୍ତର ଅଣସାମ୍ବିଧାନିକ ବୋଲି ଦର୍ଶାଯାଇଥିଲା । ଯଦିଓ କଚାତିବୁ ଦ୍ୱୀପକୁ ନେଇ ଜାତୀୟ ସ୍ତରରେ ଆଲୋଚନା ହୁଏନି, ହେଲେ ତାମିଲନାଡୁରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ବିଶେଷକରି ତାମିଲନାଡୁ ମତ୍ସ୍ୟଜୀବୀମାନେ ଏହି ଦ୍ୱୀପର ଆଖପାଖରେ ମାଛଧରିବାକୁ ଯାଆନ୍ତି । ଆଉ ଶ୍ରୀଲଙ୍କା ନୌସେନା ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥାଏ, ଗତ ୨୦ ବର୍ଷରେ ଶ୍ରୀଲଙ୍କା ୬ ହଜାରରୁ ଅଧ୍ଚକ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖିବା ସହ ଏକ ହଜାରରୁ ଅଧିକ ମାଛଧରା ବୋଟକୁ ଜବତ କରିଛି ।