ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୍ । ମେ ୧୩ରେ ଆସିବ ରେଜଲ୍ଟ ।

118

କନକ ବ୍ୟୁରୋ: କନକ ବ୍ୟୁରୋ: ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍ । ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ହେବ । ତେଣୁ ନିର୍ବାଚନ କମିସନ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ସହିତ ମେ ୧୦ରେ ଭୋଟ୍ ଓ ମେ ୧୩ରେ ରେଜଲ୍ଟ ଆସିବ ବୋଲି ସୂଚନା ଦେଇଛନ୍ତି । କର୍ଣ୍ଣାଟକରେ ମୋଟ ୫,୨୧,୭୩,୫୭୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୯.୧୭ ଲକ୍ଷ ହେଉଛନ୍ତି ନୂଆ ଭୋଟର । ତେବେ କର୍ଣ୍ଣାଟକରେ ଏଥର ଭୋଟ୍ ଫ୍ରମ ହୋମ୍ ସୁବିଧା ଆଣିବାକୁ ଯାଉଛନ୍ତି ନିର୍ବାଚନ କମିଶନ୍ । ଅର୍ଥାତ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନେ ଘରେ ବସି ନିଜର ଭୋଟ୍ ଦେଇପାରିବେ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ପୂର୍ବରୁ କର୍ଣ୍ଣାଟକ ମେଣ୍ଟ ସରକାରର ଉତଥାନ ପତନ ଦେଖିସାରିଥିବାରୁ ଏଥର ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ୨୦୧୮ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ ବହୁମତ ହାସଲ କରିପାରିନଥିଲେ । ମୋଟ ୨୨୪ ଆସନ ମଧ୍ୟରୁ ବିଜେପି ୧୦୪ ଆସନ ପାଇଥିଲା ବେଳେ କଂଗ୍ରେସ ୮୦ ଓ ଜେଡିଏସ ୩୭ ଆସନରେ ବିଜୟୀ ହୋଇଥିଲେ ।

ଏହାପରେ ବିଜେପି ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ବିଏସ ୟେଦିୟୁରପ୍ପା ଶପଥ ନେଇଥିଲେ । ହେଲେ ଦୁଇ ଦିନ ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରି ସେ ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଓ ଜେଡିଏସର ମେଣ୍ଟ ସରକାର ଗଠନ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରୀ ହୋଇ କୁମାରସ୍ୱାମୀ ୧୪ ମାସ ସରକାର ଚଲାଇଥିଲେ । ଏହାପରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନେଇ ପୁଣି ଥରେ ସରକାର ଗଠନ କରିଥିଲେ ବିଏସ ୟେଦିୟୁରପ୍ପା । ହେଲେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ବଦଳାଇବାରୁ ଏବେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏବେ କ୍ଷମତାରେ ଥିବା ବିଜେପି ସରକାରଙ୍କ କାର୍ଯ୍ୟକାଳ ମେ ୨୪ ତାରିଖରେ ଶେଷ ହେବ ।