କର୍ଣ୍ଣାଟକରେ କଂଗ୍ରେସ ବିଜୟ ପଛର ଅସଲ ନାୟକ ଏହି ବ୍ୟକ୍ତି । ଜାଣନ୍ତୁ, କିଏ ଏହି ନିର୍ବାଚନ ରଣନୀତିକାର ସୁନୀଲ କାନୁଗୋଲୁ ।

7,065

କନକ ବ୍ୟୁରୋ: କର୍ଣ୍ଣାଟକରେ ହାରିଛି ବିଜେପି, ବଡ ବିଜୟ ହାସଲ କରିଛି କଂଗ୍ରେସ । ସରକାର ପରିବର୍ତ୍ତନର ପରମ୍ପରା ପୁଣି କାୟମ ରହିବା ସହିତ ଦକ୍ଷିଣ ଭାରତର ଏହି ରାଜ୍ୟରେ ଉଠିଛି ହାତ । ତେବେ ଏହି ବିଜୟ ପଛରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଓ ଡିକେ ଶିବକୁମାରଙ୍କ ଭଳି ବଡ ବଡ ନେତାଙ୍କ ହାତ ଥିବା କୁହାଯାଉଥିବାବେଳେ, ଅସଲରେ କିନ୍ତୁ କର୍ଣ୍ଣାଟକରେ କଂଗ୍ରେସ ବିଜୟ କାହାଣୀର ଅସଲି ପଟ୍ଟକଥା ଲେଖିଥିବା ନାୟକ ଜଣକ ହେଉଛନ୍ତି ସୁନୀଲ କାନୁଗୋଲୁ ।

ଏ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ରଣନୀତିରେ ଏଥର କର୍ଣ୍ଣାଟକ ନିର୍ବାଚନ ଲଢିଥିଲା କଂଗ୍ରେସ । ସୁନୀଲ କାନୁଗୋଲୁ ହେଉଛନ୍ତି କଂଗ୍ରେସର ପ୍ରମୁଖ ରଣନୀତିକାର, ଯାହାଙ୍କ ପାଇଁ ଆଜି କର୍ଣ୍ଣାଟକ ଭଳି ବଡ ରାଜ୍ୟରେ କଂଗ୍ରେସ ବଡ ବିଜୟ ହାସଲ କରିଛି । ତେବେ ନିର୍ବାଚନ ସମୟରେ ହିଁ ସୁନୀଲ କଂଗ୍ରେସ ପାଇଁ ଲଗାତାର ରଣନୀତି ପ୍ରସ୍ତୁତ କରୁଥିଲେ । ବିଜେପି ପକ୍ଷରୁ ଦିଆଯାଉଥିବା ଭାଷଣର କାଉଣ୍ଟର ଏଜେଣ୍ଡା ପ୍ରସ୍ତୁତ କରିବା ସହିତ କେମିତି କଂଗ୍ରେସ ଲୋକଙ୍କ ନିକଟତର ହେବ, ସେନେଇ ପ୍ଲାନ ପ୍ରସ୍ତୁତ କରୁଥିଲେ ସୁନୀଲ କାନୁଗୋଲୁ । ତେଣୁ କଂଗ୍ରେସର ଏହି ବିଜୟ ପଛରେ ସେ ହିଁ ଅସଲ ନାୟକ ବୋଲି କୁହାଯାଉଛି ।

ବିଜେପି ପାଇଁ ମଧ୍ୟ କରିସାରିଛନ୍ତି କାମ

ସୂଚନାଯୋଗ୍ୟ ଯେ, ଗତବର୍ଷ ସୁନୀଲ କାନୁଗୋଲୁ ଜଣେ ରଣନୀତିକାର ଭାବେ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ କଂଗ୍ରେସ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାରେ ଲାଗିଥିଲେ । ତେବେ ସୁନୀଲ କାନାଗୋଲୁ ଏହା ପୂର୍ବରୁ ସେ ଡିଏମକେ, ଏଆଇଏଡିଏମକେ ସହ ବିଜେପି ପାଇଁ ମଧ୍ୟ କାମ କରିସାରିଛନ୍ତି । ୨୦୧୭ ମସିହା ୟୁପି ବିଧାନସଭା ନିର୍ବାଚନ ସମୟରେ ସେ ବିଜେପି ପାଇଁ କାମ କରିଥିଲେ । ଏହାପରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ଡିଏମକେ ଏବଂ ୨୦୨୧ ବିଧାନସଭା ନିର୍ବାଚନ ବେଳେ ଏଆଇଏଡିଏମକେ ପାଇଁ କାମ କରିଥିଲେ । ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅନୁପସ୍ଥିତିରେ ସେ ଏଆଇଏଡିଏମକେ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିଥିଲେ, ଆଉ ଦଳ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିଥିଲା ।

ପ୍ରଶାନ୍ତ କିଶୋରଙ୍କ ସହ କାମ କରିଛନ୍ତି ସୁନୀଲ

ଖାସ୍ କଥା ହେଉଛି, ଚର୍ଚ୍ଚିତ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ସୁନୀଲ । ୨୦୧୪ ପୂର୍ବରୁ ସେ ପ୍ରଶାନ୍ତ କିଶୋରଙ୍କ ସହ କାମ କରିଥିଲେ । ବିଜେପି ପାଇଁ କାମ କରିବା ସହିତ ୟୁପି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ସେ ନିର୍ବାଚନୀ ଅଭିଯାନରେ ସାମିଲ ହୋଇଥିଲେ । ଏହି ସବୁ ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିଥିଲା ।

କର୍ଣ୍ଣାଟକର ମୂଳ ନିବାସୀ ସୁନୀଲ କାନୁଗୋଲୁ ନିଜ ପରିବାର ସହ ଚେନ୍ନାଇରେ ରୁହନ୍ତି । ତେବେ ଏକ ସାଧାରଣ ପରିବାରରୁ ଆସି ସେ କଂଗ୍ରେସକୁ ଆଜି ଭେଟି ଦେଇଛନ୍ତି ବଡ ବିଜୟ । ଏହା ପୂର୍ବରୁ ସେ ଭାରତ ଯୋଡ ଯାତ୍ରାର ମଧ୍ୟ ରଣନୀତିକାର ରହିଥିଲେ । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ହୋଇଥିବା ଏହି ଯାତ୍ରାର ସୁନୀଲ ରଣନୀତି ପ୍ରସ୍ତୁତ କରିବା ସହିତ ଏହାକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସୁନୀଲ କାନୁଗୋଲୁ ଆଗାମୀ ଦିନରେ ମଧ୍ୟ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।