ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଉତ୍ସବ ମନାଇଲା ବିଜେଡି । ଶଙ୍ଖ ଭବନରେ ନେତା ଓ କର୍ମୀଙ୍କ ସହ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

183

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନରେ ଐତିହାସିକ ବାଜିମାତ୍ ପରେ ବିଜୟ ଉତ୍ସବ ପାଳନ କରିଛି ବିଜୁ ଜନତା ଦଳ । ଭୁବନେଶ୍ୱର ସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି । ଜୟ ଜୟକାର ନାନାରେ ମୁଖରିତ ହୋଇଥିଲା ଆଖପାଖ ଅଞ୍ଚଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନକୁ ଆସି ଦଳୀୟ କର୍ମୀଙ୍କ ଉତ୍ସାହ ବଢାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ନିବାସରୁ ଆସି ପ୍ରଥମେ ଶଙ୍ଖଭବନ ପରିସରରେ ଥିବା ଗଣେଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ପୂଜା କରିଥିଲେ । ଏହାପରେ କାର୍ଯ୍ୟାଳୟରେ ଥିବା କନଫରେନ୍ସ ହଲରେ ପହଞ୍ଚି ବିଜୁପଟ୍ଟନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଶଙ୍ଖଭବନରେ ଆୟୋଜିତ ବିଜୟ ଉତ୍ସବକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଏହି ବିଜୟ ଝାରସୁଗୁଡାବାସୀଙ୍କର ବିଜୟ, ମହିଳା ଶକ୍ତିର ବିଜୟ । ଏଥିପାଇଁ ଝାରସୁଗୁଡା ବାସୀଙ୍କ ନିକଟରେ ବିଜେଡି ଋଣୀ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଓ ଭଉଣୀଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ମୁଖିଆ । ଝାରସୁଗୁଡା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ । ଝାରସୁଗୁଡା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ , ତାର ଉଦ୍ୟମକୁ ଆହୁରି ଜୋରଦାର କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଦ୍ମପୁର ଉପନିର୍ବାଚନ ଓ ଝାରସୁଗୁଡା ଉପନିର୍ବାଚନରେ ଆମ ଦଳର ମା ମାନଙ୍କୁ ଅସମ୍ମାନ କରିଛନ୍ତି । ମହିଳାଙ୍କ ସଶକ୍ତୀକରଣ କରିବାକୁ ବିଜୁ ଜନତା ଦଳ ଉଦ୍ୟମ କରୁଥିବା ବେଳେ ବିରୋଧୀ ସବୁବେଳେ ମହିଳାଙ୍କ ସଶକ୍ତିକରଣ ବିରୋଧ କରିଆସୁଛନ୍ତି । ଏହା ଏକ ବିପଦଜନକ ଟ୍ରେଣ୍ଡ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଝାରସୁଗୁଡା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ଦୀପାଳି ଦାସ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।