କେଉଁ ମୁଦ୍ଦା ଉପରେ ୩ ପ୍ରମୁଖ ରାଜନୈତିକ ଦଳ ଲଢୁଛନ୍ତି କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ନିର୍ବାଚନ ରାଲିରେ ୫ଟି ପ୍ରସଙ୍ଗ କହିଲେ ପ୍ରିୟଙ୍କା ଗାନ୍ଧୀ

95

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଏହି କ୍ରମରେ ଖାନାପୁର ରାଲିକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ କର୍ଣ୍ଣାଟକର ମହିଳାମାନଙ୍କ ପାଇଁ ବଡ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି ଯଦି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରେ ତେବେ ଅଙ୍ଗନବାଡୀ କର୍ମୀଙ୍କ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ ।

କେବଳ ଅଙ୍ଗନବାଡୀ କର୍ମୀ ନୁହଁନ୍ତି କର୍ଣ୍ଣାଟକର ଆଶା ମାନଙ୍କୁ ମାସିକ ୮ ହଜାର ଟଙ୍କା ଦରମା, ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରୁଥିବା ମହିଳାମାନଙ୍କ ଦରମା ବୃଦ୍ଧି କରିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି କି ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ମହିଳାଙ୍କ ଦରମା ମାସକୁ ୫ ହଜାର ଟଙ୍କା କରାଯିବ ।

ସେପଟେ ଅଙ୍ଗନବାଡୀ କର୍ମୀମାନେ ଅବସର ନେଲେ କର୍ମଚାରୀଙ୍କୁ ଅବସରକାଳୀନ ସହାୟତା ବାବଦରେ ୩ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାସହ ମିନି ଅଙ୍ଗନବାଡୀ କର୍ମୀମାନେ ଅବସର ନେଲେ ସେମାନଙ୍କୁ ଅବସରକାଳୀନ ସହାୟତା ବାବଦରେ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ରାଲିରେ ଲୋକମାନଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରିୟଙ୍କା ଗାନ୍ଧୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ବିଜେପି ସରକାର କର୍ଣ୍ଣାଟକରୁ ୧.୫୦ଲକ୍ଷ କୋଟି ଟଙ୍କା ଲୁଟି ନେଇଛି । ଏହି ଟଙ୍କାରେ କର୍ଣ୍ଣାଟକରେ ୧୦୦ଟି ଏମ୍ସ, ପିଲାମାନଙ୍କ ପାଇଁ ୩୦ ହଜାର ସ୍ମାର୍ଟକ୍ଲାସ ରୁମ, ୩୦ ଲକ୍ଷ ଗରିବ ଲୋକଙ୍କ ପାଇଁ ଘର ନିର୍ମାଣ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି    ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି କି ଚଳିତ ବିଧାନସଭା ନିର୍ବାଚନ ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ ଲଢାଯାଉଛି । ବିଜେପି ଲୋକମାନଙ୍କର ଧ୍ୟାନ ଅନ୍ୟ ଆଡେ ନେବାକୁ ଚାହୁଁଛି ହେଲେ ପ୍ରକୃତ ମୁଦ୍ଦା ଉପରେ କଂଗ୍ରେସ ନିର୍ବାଚନ ଲଢୁଥିବା କଥା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।