ମେ ୧୦ରେ କର୍ଣ୍ଣାଟକ ନିର୍ବାଚନ : କେଉଁ ଦଳ ପାଖରେ କେତେ ଆସନ ଅଛି ?

587

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ମେ ୧୦ ତାରିଖରେ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ମେ ୧୩ ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି । ଆସନ୍ତା ଅପ୍ରେଲ ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଅପ୍ରେଲ ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିଲା ବେଳେ ଅପ୍ରେଲ ୨୧ରେ ପ୍ରାର୍ଥୀପତ୍ର ଯାଂଚ ଓ ଅପ୍ରେଲ ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ଦିନ ।

ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୫ ଦଶମିକ ୨୧ କୋଟି ଭୋଟର ଭୋଟ ଦେଇ ସରକାର ବାଛିବେ । ସେଥି ମଧ୍ୟରେ ଅଛନ୍ତି ୨.୫୯ କୋଟି ମହିଳା ଭୋଟର । ଅପ୍ରେଲ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ କରିଥିବା ୯ ଲକ୍ଷରୁ ଅଧିକ ନୂଆ ଭୋଟର ମଧ୍ୟ ଏଥର ଭୋଟ ଦେଇପାରିବେ । ସେପଟେ ସବୁ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗତ ଶନିବାର କଂଗ୍ରେସ ପ୍ରଥମ ଦଳ ଭାବେ ୧୨୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ ବାଜିଛି । ୨୦୨୪ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ତେଣୁ କେବଳ କର୍ଣ୍ଣାଟକବାସୀ ନୁହେଁ ଏହି ନିର୍ବାଚନର ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ବିଜେପି ଦକ୍ଷିଣର ଏକମାତ୍ର ଗଡରେ ଦ୍ୱିତୀୟ ଥର କ୍ଷମତାସୀନ ହେବାକୁ ଫୁଲ ଦମରେ ଲାଗି ପଡିଛି । କଂଗ୍ରେସ ମିଶନ-ସାଉଥ ଅଭିଯାନରେ କର୍ଣ୍ଣାଟକରେ କ୍ଷମତାକୁ ଫେରିବା ପାଇଁ ନୂଆ ରଣନୀତି ଆପଣେଇଛି । ସେପଟେ ଜେଡିଏସ କିଙ୍ଗମେକର ସାଜିବାକୁ ତୃଣମୂଳସ୍ତରରୁ ଚେଷ୍ଟା ଚଲାଇଛି । ଏବେ ୨୦୧୮ ମସିହାରେ କଣ ରହିଥିଲା କର୍ଣ୍ଣାଟକର ରାଜନୈତିକ ମିଜାଜ ।

ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ସରକାର ଗଠନ କରିଥିବା ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଏସ ୟେଦିୟୁରପ୍ପା । ହେଲେ ମାତ୍ର ୨ ଦିନ ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିନପାରି ନାଟକୀୟ ଢଙ୍ଗରେ ଇସ୍ତଫା ଦେଇଥିଲେ ୟେଦିୟୁରପ୍ପା । ଏହାପରେ ଜେଡିଏସ ଓ କଂଗ୍ରେସ ମେଂଟ ସରକାର ଗଠନ କରିଥିଲେ । ଆଉ ମୁ଼ଖ୍ୟମନ୍ତ୍ରୀ ହୋଇ ଜେଡିଏସ ମୁଖ୍ୟ କୁମାର ସ୍ୱାମୀ ୧୪ ମାସ ସରକାର ଚଲାଇଥିଲେ । ଏହାପରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ହାତ କରି ପୁଣି ସରକାର ଗଢିଥିଲେ ୟେଦିୟୁରପ୍ପା । ହେଲେ ବିଜେପି କର୍ଣ୍ଣାଟକ ପାଇଁ ନେତୃତ୍ୱ ବଦଳାଇ ବାସବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିଛି । କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ଏବେ କେଉଁ ଦଳ ପାଖରେ କେତେ ଆସନ ଅଛି ।

କର୍ଣ୍ଣାଟକ : କାହା ପାଖରେ କେତେ ଆସନ ?

ବିଜେପି- ୧୧୭
କଂଗ୍ରେସ- ୬୯
ଜେଡିଏସ- ୩୨