ଝାରସୁଗୁଡା ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେଡି-ବିଜେପି-କଂଗ୍ରେସ ନେତା । ପଢନ୍ତୁ, କିଏ କହିଲେ କଣ?

302

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଏହାପରେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବିଧାୟକ ଦେବୀ ମିଶ୍ର ଏହାକୁ ଏକ ସାମ୍ବିଧାନିକ ପ୍ରକ୍ରିୟା କହିବା ସହିତ ଝାରସୁଗୁଡାରେ ବିଜେଡିର ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ କହିବା କଥା, ଏହା ହେଉଛି ସମ୍ବିଧାନ ଅନୁଯାୟୀ ଏକ ପ୍ରକ୍ରିୟା । ସିଟ୍ ଫାଙ୍କା ପଡିଲେ ନିର୍ବାଚନ କମିଶନ ୬ ମାସ ମଧ୍ୟରେ ନିର୍ବାଚନ ନେଇ ତାରିଖ ନିର୍ଦ୍ଧାରଣ କରିଥାନ୍ତି । ସେହି ଅନୁସାରେ ଝାରସୁଗୁଡା ଉପନିର୍ବାଚନ ତାରିଖ ଘୋଷଣା ହୋଇଛି ବୋଲି ବିଡେଡି ବିଧାୟକ କହିଛନ୍ତି । ଅନ୍ୟପଟେ ନିର୍ବାଚନ ନେଇ ବିଜୁ ଜନତା ଦଳ ପ୍ରସ୍ତୁତ ରହିଛି । ପ୍ରାର୍ଥୀ ବାବଦରେ ଦଳର ସଭାପତି ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ଲୋକମାନେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି । ନବ ଦାସଙ୍କର ଦୁଃଖଦ ହତ୍ୟା ପରେ ବି ଲୋକେ ବିଜୁ ଜନତା ଦଳକୁ ତାଙ୍କର ରାୟ ଦେବେ । ଲୋକଙ୍କ ମୁଡକୁ କାଲକ୍ୟୁଲେସନ କରିବା ଆବଶ୍ୟକତା ନାହିଁ । ପଦ୍ମପୁର ବିଜୟ ବିଜେଡି ଲାଗି ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଧାମନଗର ପରାଜୟ ପରେ ଅନେକ କଥା କୁହାଯାଉଥିଲା । ହେଲେ ପଦ୍ମପୁର ଫଳାଫଳ ସବୁ ଆକଳନକୁ ଭୁଲ ପ୍ରମାଣିତ କରିଦେଲା । ଝାରସୁଗୁଡାରେ ମଧ୍ୟ ତାହା ପ୍ରମାଣିତ ହେବ ବୋଲି ଦେବୀ ମିଶ୍ର କହିଛନ୍ତି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଜେପି ଏକ କ୍ୟାଡ଼ର ବେଶ୍ ପାର୍ଟି ହୋଇଥିବାରୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ଦଳ ସବୁ ବେଳେ ଫିଟ୍ ଥାଏ । ଏବେ ଆମର ବୁଥ୍ ସଶକ୍ତିକରଣ କାର୍ୟ୍ୟକ୍ରମ ଚାଲିଛି । ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ମୋହନ ମାଝୀ କହିଛନ୍ତି । ଝାରସୁଗୁଡାରେ ଦଳ ଜୋରଦାର ଲଢେଇ କରିବ । ଧାମନଗର ଉପନିର୍ବାଚନରେ ବିଜେପି ଯେମିତି ଲଢ଼ିଥିଲା ସେମିତି ଝାରସୁଗୁଡାରେ ମଧ୍ୟ ଲଢିବ ଏବଂ ଜିତିବ ବୋଲି ସେ କହିଛନ୍ତି । ଏହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ କି ନାହିଁ, ତାହା ତ ସମୟ କହିବ । କିନ୍ତୁ ପ୍ରତ୍ୟେକ ନିର୍ବାଚନକୁ ବିଜେପି ଗୁରୁତର ସହ ନେଇଥାଏ । ଯାହା ଫଳାଫଳ ଆସିବ, ତାକୁ ଦଳ ନିର୍ଣ୍ଣାୟକ ମୋଡ଼କୁ ନେଇଯିବ ଏବଂ ପରିବର୍ତ୍ତନର ସଙ୍କେତ ଦେବ ବୋଲି ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି ।

ସେପଟେ ଝାରସୁଗୁଡାରେ ଦଳ ନିଶ୍ଚିତ ଲଢେଇ କରିବ । ଲଢେଇ ପାଇଁ ସେଠାରେ ଅନେକ ମୁଦ୍ଦା ରହିଛି । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେଠାକାର ସ୍ଥାନୀୟ ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଉଛି। ସରକାର ତାଙ୍କୁ ସରକାର ସୁରକ୍ଷା ଦେଇ ପାରିଲେନି। ତା ହେଲେ ସାଧାରଣ ଲୋକ କିପରି ସୁରକ୍ଷିତ ରହିବେ। ଓଡ଼ିଶାବାସୀ କିପରି ସୁରକ୍ଷିତ ରହିବେ । ଏ ପ୍ରସଙ୍ଗ ସହ ବେକାରୀ ସମସ୍ୟା, ଝାରସୁଗୁଡା ଜିଲ୍ଲାରେ ପାନୀୟ ଜଳ ସମସ୍ୟାକୁ ମଧ୍ୟ ଉଠାଯିବ। ଝାରସୁଗୁଡାରେ କଳକାରଖାନା ଥାଇ ବେକାରୀ ସମସ୍ୟା ବଢୁଛି । ମହିଳାଙ୍କ ଉପରେ ନିର୍ୟ୍ୟାତନା ବଢୁଛି । ଖଣି ଦୁର୍ନୀତି ଏବେ ଚରମ ସୀମାରେ । ଏ ସବୁ ପ୍ରସଙ୍ଗକୁ ନେଇ କଂଗ୍ରେସ ନିର୍ବାଚନ ଲଢିବ ବୋଲି ନରସିଂହ କହିଛନ୍ତି ।