ବଜାରରେ ବଢ଼ୁଛି ପତ୍ର ପ୍ଲେଟର ଚାହିଦା । ବାଲେଶ୍ୱର ବାଇଗଣଡିଆ ଗାଁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି

125

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ସାଜିଛି ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି । ଏହି କାମ କରି ଗୁଜୁରାଣ ମେଂଟାଉଛନ୍ତି ଗ୍ରାମର ୮୦ ଭାଗ ଲୋକ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତର ବାଇଗଣଡିଆ ଗାଁ । ଗାଁର ଅଧିକାଂଶ ଲୋକ ଚାଷ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ କିଛି ବର୍ଷ ହେଲା ବନ୍ୟା, ବାତ୍ୟା ଏବଂ ବିଭିନ୍ନ ପ୍ରକାର ରୋଗ ପୋକ କାରଣରୁ କ୍ଷତିଗ୍ରସ୍ତ ହେଉଛି ଚାଷ । ଗ୍ରାମବାସୀଙ୍କର ଅନ୍ୟ କୌଣସି ରୋଜଗାର ପନ୍ଥା ନଥିବାରୁ ଶାଳ ପତ୍ର ସିଲେଇ ହେଉଛି ରୋଜଗାରର ଏକମାତ୍ର ମାଧ୍ୟମ । ପରିବାରର ପୁରୁଷ ଲୋକମାନେ ଚାଷକାର୍ଯ୍ୟ କରୁଥିବା ବେଳେ ମହିଳା ମାନେ ପରିବାରର ସମସ୍ତ କାମ ପରେ ଅବସର ସମୟରେ ଶାଳପତ୍ର ସିଲେଇ ଓ ଠୁଙ୍ଗା ତିଆରି କରୁଛନ୍ତି । ମହିଳା ମାନେ ଦୈନିକ ୨ ହଜାରରୁ ଅଢେଇ ହଜାର ପତ୍ର ସିଲେଇ କରୁଥିବା ବେଳେ ୪ ରୁ ୫ ବସ୍ତା ଠୁଙ୍ଗା ପ୍ରସ୍ତୁତ କରିପାରୁଛନ୍ତି । ଫଳରେ ମାସକୁ ୬ ରୁ ୭ ହଜାର ଟଙ୍କା ରୋଜଗାର ମିଳୁଛି ।

ଶାଳପତ୍ର ସିଲେଇ ପାଇଁ ସ୍ଥାନୀୟ ବ୍ୟବସାୟୀଙ୍କ ପାଖରୁ ପତ୍ର ଆଣି ସିଲେଇ ପରେ ସେହି ବ୍ୟବସାୟୀଙ୍କୁ ଦେଇଥାନ୍ତି । ଏକ ହଜାର ପତ୍ର ସିଲେଇ ପାଇଁ ବ୍ୟବସାୟୀ ୧୦୦ରୁ ୧୨୦ ଟଙ୍କା ଦେଉଥିବା ବେଳେ ଖର୍ଚ୍ଚ ହୋଇଥାଏ ୨୦ ରୁ ୨୫ ଟଙ୍କା । ସେହିପରି ଠୁଙ୍ଗା ତିଆରି ପାଇଁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା ପ୍ରଭୃତି ସ୍ଥାନରୁ ପତର ଅଣିଥାନ୍ତି ଲୋକେ । ଠୁଙ୍ଗା ତିଆରି ପରେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦେଇଥାନ୍ତି । ୭ ଶହ ଠୁଙ୍ଗା ପ୍ରସ୍ତୁତ ପାଇଁ ୨୦୦ ରୁ ୨୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ରୁ ୪ ଶହ ଟଙ୍କାରେ ବିକ୍ରୀ କରିଥାନ୍ତି ବ୍ୟବସାୟୀ ।

ଏହି କାମ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ଅଧିକ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।