ମହାରାଣୀଙ୍କ ଅନ୍ତେଷ୍ଟିକୁ ବସରେ ଯିବେ ବାଇଡେନ୍, ମାନିବାକୁ ପଡିବ ରାଜପରିବାରର ପ୍ରୋଟକଲ

265

କନକ ବ୍ୟୁରୋ : ବିଟ୍ରେନର ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ମହାରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବଡ଼ କଥା ହେଉଛି ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶର ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହେବେ । କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦେଶରୁ ବଡ ବଡ ନେତା ଲଣ୍ଡନରେ ପହଁଚିବା ଆରମ୍ଭ କଲେଣି । କିନ୍ତୁ ଏହି ବିଶ୍ୱନେତାମାନଙ୍କୁ ବିଟ୍ରେନ ରାଜବଂଶର ପାରମ୍ପାରିକ ନିୟମ ମାନିବାକୁ ପଡିବ । ବିଶ୍ୱର ଯେତେବଡ ନେତା ହୋଇଥାନ୍ତୁ ନା କାହିଁ, ଲଣ୍ଡନରେ ପହଁଚିବା ପରେ ବ୍ରିଟେନ୍ ରାଜପରିବାରର ନିୟମ ଅନୁସାରେ ସେମାନେ ପରିଚାଳିତ ହେବେ । ତେଣୁ ଆମେରିକା ରାଷ୍ଟ୍ରପତି ମଧ୍ୟ ରାଜବଂଶର ପ୍ରୋଟକଲକୁ ମାନିବାକୁ ବାଧ୍ୟ ।

ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ କ୍ରିୟା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ହେବ ମହାରାଣୀଙ୍କ ଅନ୍ତିମକ୍ରିୟା । ଏହିଦିନ ୧୦ ଲକ୍ଷରୁ ଅଧିକ ଲୋକ ଲଣ୍ଡନରେ ଜମା ହେବାର ଆକଳନ କରାଯାଉଛି । ବୁଧବାର ସନ୍ଧ୍ୟା ୫ଟାରୁ ରାଣୀଙ୍କ ପାର୍ଥିବ ଶରୀରକୁ ଲଣ୍ଡନର ‘ୱେଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ୧୯ ତାରିକ ଅର୍ଥାତ୍ ଆସନ୍ତା ସୋମବାର ସକାଳ ସାଢେ ୬ଟା ପର୍ଯ୍ୟନ୍ତ ମହାରାଣୀଙ୍କ ପାର୍ଥିବ ଶରୀର ସେଠାରେ ରହିବ । କୁହାଯାଉଛି ଏହିଦିନ ରାଣୀଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କୁ ୫ କିଲୋମିଟର ଲମ୍ବା ଲାଇନ୍ରେ ଛିଡାହେବାକୁ ପଡିପାରେ । ଆଉ ସବୁ ପ୍ରକ୍ରିୟା ରାଜ ପରିବାରର ପ୍ରୋଟକଲ ଅନୁଯାୟୀ କରାଯିବ ।

ସୂଚନା ଅନୁସାରେ ଲଣ୍ଡନର ‘ୱେଷ୍ଟମିନଷ୍ଟରରେ ଆବେ’ରେ ଅନୁଷ୍ଠିତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିକ୍ରିଆ । ଏଥିରେ ସାମିଲ ହେବା ପାଇଁ ବିଭିନ୍ନ ଦେଶରୁ ପହଂଚିବେ ନେତା ଓ ବିଶିଷ୍ଟ ବ୍ୟକ୍ତି । ଆଉ ଏମାନଙ୍କୁ ମାନିବାକୁ ପଡିବ ରାଜପରିବାର ନିର୍ଦ୍ଦିଷ୍ଟ ନିୟମ କାନୁନ । ଏହି ଅତିଥି ତାଲିକାରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ସପ୍ଟେମ୍ବର ୧୯ରେ ହେବ ମହାରାଣୀଙ୍କ ଅନ୍ତିମ ସଂସ୍କାର
– ଲଣ୍ଡନ ହିଥ୍ରୋ ବିମାନବନ୍ଦର ଯାଏଁ ସ୍ୱତନ୍ତ୍ର ବିମାନରେ ଆସିପାରିବେ
– ଏଠାରୁ ଅନ୍ତ୍ୟେଷ୍ଟିସ୍ଥଳ ଯାଏଁ ବସ୍ରେ ଯିବାକୁ ମିଳିବ ଅନୁମତି
– କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର ବସ୍ରେ ଯିବେ ଅତିଥି
– ଅତିଥିମାନେ ନିଜ କାର, ଚାର୍ଟାଡ ବିମାନ ବ୍ୟବହାର କରିପାରିବେନି
– ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ବି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଥାଏ
– ଏଠାରେ କିନ୍ତୁ ପ୍ରଟୋକଲ ଅନୁଯାୟୀ ବସ୍ରେ ଯିବେ ବାଇଡେନ
– ପ୍ରତି ଦେଶରୁ ଜଣେ ମାତ୍ର ନେତାଙ୍କୁ ଯିବାକୁ ଅନୁମତି
– ସାଙ୍ଗରେ ପତ୍ନୀ କିମ୍ବା ପତିଙ୍କୁ ନେଇପାରିବେ
– ଅତିଥିଙ୍କ ସହ ତୃତୀୟ ବ୍ୟକ୍ତିଙ୍କୁ ଯିବାକୁ ନାହିଁ ଅନୁମତି
– ସଂସ୍କାର ପରେ ଅତିଥିମାନେ ବସ୍ରେ ବକିଂହାମ ପ୍ୟାଲେସକୁ ଯିବେ
– ପ୍ୟାଲେସରେ ଅତିଥିମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ରହିଛି

 

ମହାରାଣୀ ଏଲିଜାବେଥ ଦ୍ୱିତୀୟ ୮ ସେପ୍ଟେମ୍ବର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମହାରାଣୀଙ୍କ ଅନ୍ତିମ ସଂସ୍କାର ଶାହୀ ପରମ୍ପରା ଅନୁଯାୟୀ କରାଯିବ । ରାଜବଂଶର ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କାର ମୃତ୍ୟୁର ୧୦ ଦିନ ପରେ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ବୁଧବାର ଠାରୁ ମହାରାଣୀଙ୍କ ପାର୍ଥିବ ଶରୀରକୁ ‘ୱେଷ୍ଟମିନଷ୍ଟରରେ ଆବେ’ରେ ରଖାଯିବ । ଏହାପୂର୍ବରୁ ମହାରାଣୀଙ୍କ ଶେଷ ଯାତ୍ରା କରାଯାଉଛି । ସ୍କଟ୍ଲ୍ୟାଣ୍ଡର ବାଲ୍ମୋରଲ ରାଜପ୍ରସାଦରୁ ଲଣ୍ଡନର ବକିଙ୍ଗହମ୍ ପ୍ରାସାଦକୁ ଅଣାଯାଇଛି । ଆଉ ରାଣୀଙ୍କ ଏହି ଶେଷ ଯାତ୍ରାରେ ପୁଅ ତଥା ରାଜା ଚାର୍ଲସ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ ସଦସ୍ୟ ବି ସାମିଲ ହୋଇଛନ୍ତି । ଲମ୍ବା କାର୍ କାରକେଡ୍ରେ ରାଣୀଙ୍କ ପାର୍ଥିବ ଶରୀର ଲଣ୍ଡନ ଆସିଛି । ମହାରାଣୀଙ୍କ ଅନ୍ତିମ ସଂସ୍କାର ପାଇଁ ରାଜ ପରିବାର ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଶେଷଥର ବ୍ରିଟେନରେ ୧୯୬୫ରେ ସର୍ ୱିନ୍ଷ୍ଟେନ୍ ଚର୍ଚିଲଙ୍କ ରାଜକୀୟ ଶୈଳୀରେ ଅନ୍ତିମ ସଂସ୍କାର କରାଯାଇଥିଲା ।