ରାଜ୍ୟର ସବୁ ନଦୀରେ ଜଳସ୍ତର କମିବ : ସକାଳେ ଜଳସ୍ତର କମିଥିବାବେଳେ ପୂର୍ବାହ୍ନ ୧୦ଟା ସମୟରେ ପୁଣି ବଢିବ

189

କନକ ବ୍ୟୁରୋ : ଆଜିଠୁ ରାଜ୍ୟର ସବୁ ନଦୀରେ ଜଳସ୍ତର କମିବ । ରାତିରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟାର ପିକ୍ ଫ୍ଲୋ ପ୍ରବାହିତ ହୋଇଥିଲା । ତେଣୁ ସକାଳ ବେଳକୁ ଜଳସ୍ତର କମିଛି ବୋଲି ସୂଚନା ରହିଛି । ହେଲେ ଏସଆରସିଙ୍କ ସୂଚନା ଅନୁସାରେ ହୀରାକୁଦର ୪୦ଟି ଗେଟ ଦେଇ ଯେଉଁ ବନ୍ୟା ଜଳ ଛଡାଯାଉଛି ତାହା ଆଜି ମୁଣ୍ଡୁଳିଠାରେ ସକାଳ ୧୦ଟା ୧୧ଟାରେ ପହଞ୍ଚିବ । ତେଣୁ ପୁଣି ଜଳସ୍ତର ବଢିବ । ଏହାଦ୍ୱାରା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁରରେ ବନ୍ୟା ପାଣି ବଢିବ ବୋଲି ସୂଚନା ରହିଛି । ବନ୍ୟା ପାଣି ବଢିବ ତେଣୁ ପୁରୀ ଜିଲ୍ଲାରେ ଆଜି ସ୍କୁଲ ଛୁଟି ଘୋଷଣା କରିଛି ପ୍ରଶାସନ ।

ବନ୍ୟା ଯୋଗୁଁ ୧ହଜାର ୭୫୭ଟି ଗାଁ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ୪ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଅଢେଇ ଲକ୍ଷ ଲୋକ ପାଣି ଘେରରେ ଫସି ରହିଛନ୍ତି । ବନ୍ୟା ପାଣି ଯୋଗୁଁ ତଳିଆ ଅଞ୍ଚଳର ୪୨୫ ଗାଁ ପାଣି ଘେରରେ ରହିଛି । ୨ ଲକ୍ଷ ୨୬ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ୧୪୪୪ ଘର ଭାଙ୍ଗିଥିବା ନେଇ ସରକାର ସୂଚନା ଦେଇଛନ୍ତି । ୫୩ ହଜାର ୮୬୬ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ୩୪ ହଜାର ୭୦୧ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।