ବନ୍ୟା ବେଳେ ଆସୁଛି ପୁଣି ଏକ ଲଘୁଚାପ : ଆଜିଠୁ ପୁଣି ବର୍ଷା, ୧୭ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି 

162

କନକ ବ୍ୟୁରୋ : ଗୋଟିଏ ପଟେ ବନ୍ୟା ପାଇଁ ଚିନ୍ତାରେ ଲୋକେ । ଅନ୍ୟପଟେ ଆଜିଠୁ ପୁଣି ମାଡି ଆସୁଛି ବର୍ଷା । ଦକ୍ଷିଣ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ବର୍ଷା ହେବ । ଆସନ୍ତାକାଲି ଅଧିକ ଘନିଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ପ୍ରଭାବରେ ଶୁକ୍ରବାରଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଶନିବାର ପଶ୍ଚିମ ଓଡିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ରହିଛି । ଆସନ୍ତାକାଲି ପାଇଁ ୧୭ଜିଲ୍ଲା ଓ ୨୦ ତାରିଖରେ ୮ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ତେବେ ଖାଲି ଓଡିଶାରେ ନୁହଁ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡରେ ମଧ୍ୟ ୧୯ରୁ ୨୧ ଯାଏ ପ୍ରବଳ ବର୍ଷା ହେବ । ଏଥିଯୋଗୁଁ ମହାନଦୀରେ ପାଣି କମିବା ଆଶଙ୍କା କମ୍ ବଢିବା ଅଧିକ ହୋଇଛି ।

ଆଜିଠୁ ୧୯ ତାରିଖ ପୂର୍ବାହ୍ନ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ନୟାଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ଲାଗି ରହିବ । ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଢେଙ୍କାନାଳ, ଅନୁଗୁଳ, ‌ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୦ ତାରିଖ ସକାଳୁ ୨୧ ତାରିଖ ପୂର୍ବାହ୍ନ ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲା‌ରେ ଅତିପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ୧୯ ଓ ୨୦ ତାରିଖରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ହେବ ।

ତେଣୁ ମତ୍ସ୍ୟଜୀବୀମାନେ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଜଳବନ୍ଦି ଓ ପାହାଡ଼ିଆ ଅଞ୍ଚଳ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ବର୍ଷା କ୍ଷୟକ୍ଷତିର ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।