ଝାଡଖଣ୍ଡ କ୍ଷମତା ସଂକଟ ମଧ୍ୟରେ ସବୁ ଦଳୀୟ ବିଧାୟକଙ୍କୁ ଗୋଟିଏ ସ୍ଥାନକୁ ନେଲେ ହେମନ୍ତ ସୋରେନ । ଆଜି ଇସ୍ତଫା ଦେବା ନେଇ ଚର୍ଚ୍ଚା

234

କନକ ବ୍ୟୁରୋ : ଝାଡଖଣ୍ଡରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ନିଜ ଦଳର ବିଧାୟକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଞ୍ଚି ଠାରେ ମୁଖ୍ୟମନ୍ତ୍ରୀଙ୍କ ଭବନରେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ନେଇ ଏକ ସୁରକ୍ଷିତ ରିସୋର୍ଟକୁ ଯାଇଛନ୍ତି ହେମନ୍ତ । କେବଳ ସେତିକି ନୁହେଁ ବୈଠକ ପରେ ହେମନ୍ତଙ୍କ ନିର୍ଦ୍ଦେଶରେ ଦଳର ସମସ୍ତ ବିଧାୟକଙ୍କ ମୋବାଇଲ ଫୋନକୁ ସ୍ୱିଚ୍ ଅଫ୍ କରିଦିଆଯାଇଛି । ପ୍ରଥମେ ଆକଳନ କରାଯାଉଥିଲା କି ସମସ୍ତ ବିଧାୟକଙ୍କୁ ଚତିଶଗଡ ସ୍ଥାନାନ୍ତର କରାଯିବ । ହେଲେ ଏବେ ସ୍ପଷ୍ଟ ହୋଇଛି କି ୟୁପିଏର ସମସ୍ତ ବିଧାୟକଙ୍କୁ ଝାଡଖଣ୍ଡର ଏକ ରିସୋର୍ଟରେ ସୁରକ୍ଷିତ ଭାବେ ରଖାଯିବ ।

ସୂତ୍ର ସୂଚନା ମୁତାବକ ଖଣି ପଟ୍ଟା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ଏହି କାରଣରୁ ସେ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସ୍ଥିର ହୋଇସାରିଛି । ସେପଟେ ସେ ଇସ୍ତଫା ଦେବେ ଓ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାରି ମଧ୍ୟରେ ୟୁପିଏ ବିଧାୟକଙ୍କୁ ବିଜେପି ପ୍ରବାଭିତ କରିବା ଡରରେ ହେମନ୍ତ ସୋରେନ ସମସ୍ତ ବିଧାୟକଙ୍କୁ ଏକଜୁଟ କରି ଗୋଟିଏ ସ୍ଥାନରେ ରଖିବାକୁ ସ୍ଥିର କରିଛନ୍ତି ।

ସେପଟେ କଂଗ୍ରେସ ତରଫରୁ ଘୋଡା ବେପାରର ଆଶଂକା କରି ସନ୍ଦେହ ଥିବା ଦଳର ୩ ଜଣ ବିଧାୟକଙ୍କୁ ସସ୍ପେଣ୍ଡ କରିଦେଇଥିଲା । ଏହାସହ ସେମାନଙ୍କୁ ସେପ୍ଟେମ୍ବର ପହିଲା ସୁଦ୍ଧା କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ବିଶ୍ୱାସମତ ବେଳେ ସେହି ୩ ବିଧାୟକ ମହାମେଣ୍ଟକୁ ଭୋଟ ନଦିଅନ୍ତି ତେବେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବ ।