୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ । ଆଜି ପର୍ଯ୍ୟନ୍ତି କେହି ବି ଭାଙ୍ଗିପାରିନାହାଁନ୍ତି ଏହି କ୍ରିକେଟରଙ୍କ ରେକର୍ଡ । 

1,109

କନକ ବ୍ୟୁରୋ: ଆପଣ ସମସ୍ତେ ସଚିନ ତେନ୍ଦୁଲକରଙ୍କୁ ନିଶ୍ଚୟ ଜାଣିଥିବେ, ୩୦ ହଜାରରୁ ଅଧିକ ରନ୍ ଏବଂ କ୍ରିକେଟ୍ ଇତିହାସରେ ଶହେ ଶତକ ମାରିବାର ରେକର୍ଡ ଏବେ ବି ତାଙ୍କ ନାଁରେ ରହିଛି । ହେଲେ ଆଜି ଆମେ ଏମିତି ଜଣେ କ୍ରିକେଟରଙ୍କ କଥା କହିବୁ, ଯିଏ ଏକାକି ମାରିଛନ୍ତି ୧୯୯ ଶତକ ଏବଂ ସଂଗ୍ରହ କରିଛନ୍ତି ୬୦ ହଜାରରୁ ଅଧିକ ରନ୍ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ସତ । ହେଲେ କଥାଟି କିନ୍ତୁ ପୂରାପୂରି ସତ ।

କ୍ରିକେଟ୍ ଜଗତରେ ଏଭଳି ଅଭଙ୍ଗା ରେକର୍ଡ କରିପାରିଥିବା କ୍ରିକେଟର ଜଣକ ହେଉଛନ୍ତି ଇଂଲଣ୍ଡର ଜ୍ୟାକ୍ ହବ୍ସ । ଯିଏକି ନିଜେ ୧୯୯ ଶତକ ମାରିବା ସହିତ ୬୧ ହଜାର ୭୬୦ ରନ୍ ସଂଗ୍ରହ କରିଛନ୍ତି । ତେବେ ଜ୍ୟାକ୍ ହବ୍ସ ହେଉଛନ୍ତି ଏମିତି ଜଣେ ଖେଳାଳି ଯିଏକି ଅନ୍ତର୍ଜାତୀୟ କ୍ରିକେଟ୍ ଅପେକ୍ଷା ଘରୋଇ କ୍ରିକେଟରେ ଧମାଲ ମଚାଇଛନ୍ତି । ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ୍ ନିଜ କ୍ରିକେଟ୍ କ୍ୟାରିୟର ଭିତରେ ୮୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବାବେଳେ, ୫୦.୭୦ ଆଭରେଜରେ ୬୧ ହଜାର ୭୬୦ ରନ୍ କରିଛନ୍ତି । ଏହା ଭିତରେ ରହିଛି ୧୯୯ ଶତକ ଏବଂ ୨୭୩ଟି ଅର୍ଦ୍ଧଶତକ । ଖାଲି ସେତିକି ନୁହେଁ କ୍ରିକେଟ୍ କ୍ୟାରିୟରରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୩୧୬ ରନ୍  ।

ଇଂଲଣ୍ଡରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବା ଏହି କ୍ରିକେଟର ଜଣକ ୧୯୦୫ ମସିହାରେ ପ୍ରଥମ କରି ମ୍ୟାଚ୍ ଖେଳିଥିଲେ । ଏହାପରେ ଲଗାତାର ସେ ୨୯ ବର୍ଷ ଧରି କ୍ରିକେଟ୍ ଖେଳିବା ଜାରି ରଖିଥିଲେ ଆଉ ୧୯୩୪ରେ ଅବସର ଗ୍ରହଣ କରିଥିଲେ । କ୍ରିକେଟରୁ ଅବସର ନେବାବେଳକୁ ତାଙ୍କୁ ହେଇଥିଲା ୫୨ ବର୍ଷ । ତେବେ କ୍ରିକେଟ୍ ଇତିହାସରେ ସେ କରିଥିବା ଏହି ରେକର୍ଡ ଆଜି ପର୍ଯ୍ୟନ୍ତ କେହି ବି କ୍ରିକେଟର ଭାଙ୍ଗି ପାରିନାହାଁନ୍ତି ।