ଜଣେ ଓଡିଆ ସୈନିକଙ୍କ କାହାଣୀ: ବର୍ଷେ କି ଦୁଇ ବର୍ଷ ନୁହେଁ ସାରା ଜୀବନ ବିତୁଛି ପାକିସ୍ତାନ ଜେଲରେ

210

କନକ ବ୍ୟୁରୋ: ପରଦାର କାହାଣୀ, ଯେତେବେଳେ ବାସ୍ତବ ଜୀବନରେ ପ୍ରତିଫଳିତ ହୁଏ, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦିଏ । ଠିକ୍ ବଲିଉଡ୍ ଫିଲ୍ମ ବୀର ଜାରାର କାହାଣୀ ଭଳି ଜଣେ ଓଡ଼ିଆ ସୈନିକଙ୍କ ଜୀବନ, ପାକିସ୍ତାନ ଜେଲରେ ବିତୁଛି ।

ନାଁ ଆନନ୍ଦ ପତ୍ରୀ । ଘର ଭଦ୍ରକ । କିନ୍ତୁ ଏବେ ଆନନ୍ଦଙ୍କ ଠିକଣା ପାକିସ୍ତାନ ଜେଲର ଅନ୍ଧାର କୋଠରୀ । ବର୍ଷେ କି ଦୁଇ ବର୍ଷ ନୁହେଁ ପାକିସ୍ତାନ ଜେଲରେ ବିତିଯାଇଛି ପୁରା ଜୀବନ । ୧୯୬୫ ମସିହାରୁ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ଆନନ୍ଦ ପତ୍ରୀଙ୍କୁ ଖୋଜିବା ପାଇଁ ରାତି ଦିନ ଏକ କରିଦେଲେଣି ପୁଅ ବିଦ୍ୟାଧର । ବାପାଙ୍କ ସମ୍ପର୍କରେ ଜାଣିବା ପାଇଁ ଏବଂ ଜୀବିତ ଥିଲେ ଘରକୁ ଫେରାଇ ଆଣିବା ପାଇଁ ଗୁହାରୀ କରୁଛନ୍ତି ଆନନ୍ଦଙ୍କ ପୁଅ ବିଦ୍ୟାଧର ପତ୍ରୀ ।

୧୯୬୨ ମସିହା ଇଣ୍ଡୋ-ଚାଇନା ଯୁଦ୍ଧରେ ସାମିଲ ହୋଇଥିଲେ ଆନନ୍ଦ । ଏହା ପରେ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ସାମିଲ ହୋଇଥିଲେ । କିନ୍ତୁ ତା ପରେ ତାଙ୍କର ଖୋଜ ଖବର ମିଳିନାହିଁ । ହଠାତ ୨୦୦୩ରେ ଏକ ଓଡିଆ ଦୈନିକ ଖବର କାଗଜରେ ପ୍ରକାଶ ପାଇଥିଲା ଜଣେ ବନ୍ଦୀଙ୍କ ଖବର । ନସିମ ଗୋପାଳ ବୋଲି ଜଣେ ବ୍ୟକ୍ତି ପାକିସ୍ତାନ ଜେଲରେ ଅଛନ୍ତି । ମାନସିକ ବିକୃତ ଯୋଗୁଁ ତାଙ୍କର ସଠିକ ନାମ ଓ ଠିକମା ଦେଇ ପାରୁନଥିଲେ । କିନ୍ତୁ ତାଙ୍କ ଘର ଓଡିଶାରେ ବୋଲି ଜଣାପଡିଥିଲା । ଏହି ଫଟୋ ଦେଖି ଆନନ୍ଦ ପତ୍ରୀଙ୍କ ପରିବାର ଖୁସି ହୋଇଯାଇଥିଲେ । କାରଣ ଏହି ଫଟୋ ଆନନ୍ଦଙ୍କ ବୋଲି ଜାଣିବାକୁ ପାଇଥିଲେ ।

କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତ କେତେବେଳେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଆନନ୍ଦଙ୍କ ପରିବାର । ଏନେଇ ପାକିସ୍ତାନ ସରକାର ସହ ମଧ୍ୟ କଥା ହୋଇଥିଲେ କେନ୍ଦ୍ର ସରକାର । କିନ୍ତୁ ପାକିସ୍ତାନ ସ୍ପଷ୍ଟ ଭାବେ ଉତର ଦେଇଥିଲା ଯେ ଆନନ୍ଦ ପତ୍ରି ନାଁର କୌଣସି ବ୍ୟକ୍ତି ପାକିସ୍ତାନ ଜେଲରେ ନାହିଁ । ଯେଉଁ ଫଟୋ ଦିଆଯାଇଥିଲା ସେ ନସିମ ଗୋପାଳ । ୧୯୯୯ ରେ ବେଆଇନ ଭାବେ ସେ ପାକିସ୍ତାନ ଭିତରକୁ ପଶିଆସିଥିବାରୁ ଗିରଫ ହୋଇଥିଲେ ଏସବୁ ଭିତରେ ଆଶା ଛାଡ଼ି ନାହାଁନ୍ତି, ଆନନ୍ଦଙ୍କ ପରିବାର । ଶେଷ ନିଶାସ ଚାଲୁଥିବା ଯାଏ ବାପାଙ୍କୁ ଖୋଜିବାର ପ୍ରୟାସ ଜାରି ରହିବ ବୋଲି କହୁଛନ୍ତି ତାଙ୍କ ପୁଅ ।