ନାରୀ ତୁମେ ଅନନ୍ୟା । ବିଶ୍ୱ ମହିଳା ଦିବସ ଅବସରରେ ‘ସମାନତାର’ ସ୍ଲୋଗାନ

401

କନକ ବ୍ୟୁରୋ: ନାରୀ, ତୁମେ ଅନନ୍ୟା, ଅନନ୍ଦିତା । କେବେ ତୁମେ ମା’ର ପଣତ କାନି ତ କେବେ ତୁମେ ଭାଇ ହାତର ରାକ୍ଷୀ । କେବେ ପୁରୁଷର ଧର୍ମ ସଙ୍ଗିନୀ, ପୁଣି ତା’ର ସୁଖ ଦୁଃଖର ସାଥୀ । ତୁମେ ଘରର ଘରଣୀ, ତୁମେ ପୁଣି ବୟସ ନିର୍ବିଶେଷରେ ଜନନୀ । ତୁମେ ସ୍ନେହମୟୀ, ସର୍ବଂସହା , ତୁମେ ନାରୀ ।

ନାରୀ ସ୍ରଷ୍ଟାଙ୍କର ଏକ ଅନବଦ୍ୟ ସୃଷ୍ଟି । ତାଙ୍କର ଏକ ଅବର୍ଣ୍ଣନୀୟ ସୃଜନଶୀଳତା । କୁଆଁ କୁଆଁ ରାବ ଦେଇ ଯେତେବେଳେ ଘରକୁ କନ୍ୟାଟିଏ ଆସେ ଲାଗେ ଯେମିତି ମା’ ମହାଲକ୍ଷ୍ମୀଙ୍କ ଅବିର୍ଭାବ ହେଲା । ଧୀରେ ଧୀରେ ସେ ଲତାଟିଏ ପରି ବଢିଚାଲେ । ବିଭନ୍ନ ସମୟରେ ସେ ଶିଖେ ଜୀବନ ବଞ୍ଚିବାର କଳା ଆଉ ଜୀବନକୁ ବଞ୍ଚାଇବାର କଳା । ପରିବାର ଠାରୁ ଆରମ୍ଭ କରି ସମାଜ ପ୍ରତି ଦାୟିତ୍ୱକୁ ବହନ କରିବାକୁ ଧୀରେ ଧୀରେ ହୁଏ ସଚେତନ ।

ନାରୀକୁ ନେଇ ସାହିତ୍ୟ ସମ୍ଭାର, ଶିଳ୍ପୀର କଳା । ନାରୀ ବିନା ସୃଷ୍ଟିର ପ୍ରତିଟି ଦିଗ ଯେପରି ଅସମ୍ପୂର୍ଣ୍ଣ । ବଗିଚାରୁ ମନ୍ଦିର ଯାଏଁ ଫୁଲର ଯାତ୍ରା ପରି ନାରୀର ଯାତ୍ରା ବାପଘରୁ ଶାଶୁଘର । ଏହି ଯାତ୍ରା ସମୟରେ ସେ ରଖିଥାଏ ଅନେକ ଧୈର୍ଯ୍ୟ ଓ ନିଷ୍ଠା । ସ୍ନେହ, ପ୍ରେମ ଓ ସେବାର ଏକ ଚିରସ୍ରୋତା ନଦୀ । ଝିଅଟିର ଦରୋଟି କଥା ଓ ହସ ବାପା, ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଖୁସି ଆଣିଦିଏ ।ପାଠ ପଢି ପରିବାର ପାଇଁ ଗୌରବ ଆଣେ । ତା ପରେ ଯେତେବେଳେ ତା’ ଦେହରେ ଯୌବନର ରଙ୍ଗ ଲାଗେ ତା’ ସମ୍ପର୍କର ପରିଭାଷାରେ ପରିବର୍ତ୍ତନ ଦେଖାଯାଏ । କେହି ଜଣେ ଅଜଣା ଲୋକଙ୍କୁ ନିଜର କରି ତା’ ସଂସାରକୁ ଆପଣାର କରିନିଏ । ଦୁହିତାରୁ ହୋଇଯାଏ ପତ୍ନୀ । ନିଜ ବାପଘର ପରିବାର ସହ ସମ୍ଭାଳିନଏ ଶାଶୁଘର ପରିବାରର ପୁରା ଦାୟିତ୍ୱ । ଦୁଇଟି ପରିବାର ଭିତରେ ଯୋଗସୂତ୍ର ବାନେ୍ଧ ।

ନିଜ ପ୍ରିୟ ମଣିଷ ଓ ସନ୍ତାନ ପାଇଁ ନିଷ୍ଠାର ସହ କରିଚାଲେ ପୂଜା ବ୍ରତ, ଉପବାସ । ସେମାନଙ୍କ ପାଇଁ ସାଜେ ସୁରକ୍ଷା କବଚ । ଅର୍ଦ୍ଧାଙ୍ଗିନୀ ହୋଇ ସ୍ୱାମୀକୁ ଦିଏ ମନୋବଳ ସୁଖ ଶାନ୍ତି । ହାରିଯାଉଥିବା ବେଳେ, ସାହାରା ଦିଏ । ବୋହୂ ହୋଇ ଶାଶୁ, ଶ୍ୱଶୁରଙ୍କର ସେବା କରେ । ମା’ ହୋଇ ଦୁନିଆଁର ସବୁ ଦୁଃଖକୁ ଛାତିରେ ଚାପି ରଖି ନିଜେ ମାଟିରେ ମିଶିବା ଯାଏଁ ପିଲାମାନଙ୍କର ସବୁ ଅଳି ଅର୍ଦ୍ଦଳିକୁ ସହି ସେମାନଙ୍କୁ ବାଟ ଦେଖାଇଚାଲେ । ସେଥିପାଇଁ ତ ପିଲା ପାଇଁ ମା’ ହିଁ ସର୍ବସ୍ୱ ।

କେବଳ ଏତିକି ନୁହେଁ ନାରୀ ଆଜି ସବୁ କ୍ଷେତ୍ରରେ ଧୁରୀଣା । ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।

ଏତେ ସବୁପରେ ବି ନାରୀକୁ ବୁଝିବାକୁ ଏ ସମାଜ ଅମଙ୍ଗ କାହିଁକି । ସବୁ ବଳିଦାନ ପରେ ବି ତା’ ଉପରେ ଏତେ ନିର୍ଯାତନା କାହିଁକି? ଏ ପ୍ରଶ୍ନ ସବୁବେଳେ ଅସମାହିତ । ତେବେ ଆସନ୍ତୁ ଆଜିର ବିଶ୍ୱ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ସାରା ବିଶ୍ୱର ମଙ୍ଗଳ କରିବାକୁ ଚେଷ୍ଟା କରିବା ।