ଦାଉଦ୍ ଇବ୍ରାହିମ୍ ମୃତ? ଗୁଜବକୁ ନେଇ ଚର୍ଚ୍ଚା

1,272

କନକ ବ୍ୟୁରୋ: ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୃତ୍ୟୁ ଖବର ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପାକିସ୍ତାନର କରାଚିରେ ଏକ ହସ୍ପିଟାଲରେ ଦାଉଦ୍ଙ୍କ ମୃତ୍ୟୁ ଖବର ଇଂଟରନେଟରେ ବହୁ ମାତ୍ରାରେ ପ୍ରସାରିତ ହେଉଛି । ଦାଉଦକୁ କେହି ଖାଦ୍ୟରେ ବିଷ ଦେଇଦେବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି । କେତକ ୟୁଜର୍ସ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ରକ୍ଷଣାବେକ୍ଷଣକାରୀ ଅନୱାର ଉଲ କାକର ପୋଷ୍ଟକୁ ସେୟାର କରିଥିବା ଦେଖିବାକୁ ମିଳିଛି । ଅନୱାରଙ୍କ ଟୁଇଟରେ ଲେଖାଯାଇଛି, ମାନବିକତାର ମସିହା ଦାଉଦ ଇବ୍ରାହିମଙ୍କ ଦେହାନ୍ତ ହୋଇଛି । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇଥିବା ବିଷ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି । କରାଚିର ଏକ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଲ୍ଲା ତାଙ୍କୁ ଜନ୍ନତରେ ସବୁଠୁ ଉଚ୍ଚ ପଦବୀ ଦିଅନ୍ତୁ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ରକ୍ଷଣାବେକ୍ଷଣକାରୀ ଅନୱାର ଉଲ କାକର ପୋଷ୍ଟକୁ ହଜାର ହଜାର ବ୍ୟକ୍ତି ସେୟାର କରିଥିବା ବେଳେ ଏହା ଫେକ ବୋଲି ସୂଚନା ମିଳିଛି । ବାସ୍ତବରେ ଏହି ଟୁଇଟ ଅନୱାର କରିନାହାଁନ୍ତି ବୋଲି ସୂଚନା ମଳିଛି ।

୧୯୯୩ର ମୁମ୍ବାଇ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଦାଉଦ ସୁସ୍ଥ ଅଛନ୍ତି ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବାସ୍ତବରେ ତାଙ୍କୁ ବିଷ ଦିଆଯାଇଛି ନା ଏହା ପଛରେ ଆଉ କିଛି କାରଣ ଅଛି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି । ଦୁଇ ଦିନ ହେଲା ପାକିସ୍ତାନର କରାଚିରେ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତି ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦାଉଦ ଥିବା ହସ୍ପିଟାଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ଉକ୍ତ ହସ୍ପିଟାଲର ଗୋଟିଏ ମହଲାରେ ସେ ଏକମାତ୍ର ରୋଗୀ ଭାବେ ଚିକିତ୍ସିତ ହେଉଥିବା କୁହାଯାଉଛି ।

ପାକିସ୍ତାନ ସାମ୍ବାଦିକ ଅର୍ଜୋ କଜମୀଙ୍କ ସୂଚନା ମୁତବାକ, ପାକିସ୍ତାନରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ଦାଉଦଙ୍କୁ ବିଷ ଦିଆଯାଇଛି ନା ନାହିଁ? ସେ ଜୀବିତ ନା ମୃତ ? ସେନେଇ କୌଣସି ସ୍ପଷ୍ଟ ସୂଚନା ମଳିନାହିଁ ।

୧୯୯୩ର ଦାଉଦ କରିଥିବା ମୁମ୍ବାଇ ବ୍ଲାଷ୍ଟରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ପ୍ରାୟ ୨୭ କୋଟି ଟଙ୍କାର ସମ୍ପତି ମଧ୍ୟ ନଷ୍ଟ ହୋଇଥିଲା । ପରେ ଦାଉଦ ଭାରତ ଛାଡି ଚାଲିଯାଇଥିଲା । ୨୦୦୩ରେ ତାଙ୍କୁ ଆତଙ୍କବାଦୀ ଘୋଷିତ କରାଯାଇଥିବା ବେଳେ ସେ ଏବେ ଭାରତର ମୋଷ୍ଟ ୱାଟେଂଡ ତାଲିକାରେ ରହିଛି ।