ଭାଇର ମୃତ୍ୟୁ ଖବର ଶୁଣି ବି କର୍ତ୍ତବ୍ୟରୁ ଓହରି ନଥିଲା ଭଉଣୀ । ଆଖିର ଲୁହକୁ ଆଖିରେ ମାରି ପ୍ରିୟଙ୍କାଙ୍କୁ ସୁରକ୍ଷା ଦେଉଥିଲେ ଆଇପିଏସ ଅଫିସର ଅର୍ଚ୍ଚନା ସିଂହ

964

କନକ ବ୍ୟୁରୋ: ଭାଇର ମୃତ୍ୟୁ ଖବର ଶୁଣି ବି ଡ୍ୟୁଟି ଛାଡିଲାନି ଭଉଣୀ । କର୍ତ୍ତବ୍ୟ କରୁଥିବାରୁ ଭାଇର ମୃତ୍ୟୁ ଖବରକୁ ଛାତିରେ ଚାପି, ଆଖିର ଲୁହକୁ ଆଖିରେ ମାରି ଓହରି ଆସିଲାନି ଆପିଏସ ଭଉଣୀ । ଏଭଳି ଖବର ଆସିଛି ଉତ୍ତର ପ୍ରଦେଶରୁ । ନାଗରିକତା ଆଇନ ବିରୋଧରେ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇପିଏସ ଅଫିସର ଅର୍ଚ୍ଚନା ସିଂହ । ଆଉ ସେତିକି ବେଳେ ଅର୍ଚ୍ଚାନାଙ୍କୁ ମିଳିଥିଲା ତାଙ୍କ ଭାଇ ମୃତ୍ୟୁର ଖବର । ଯଦିଓ ହଠାତ ଏଭଳି ଖବରରେ ଅର୍ଚ୍ଚନା ଟିକେ ଭାଙ୍ଗି ପଡିଥିଲେ, ସ୍ତବ୍ଧ ହୋଇଯାଇଥିଲେ ମାତ୍ର ତାଙ୍କ କର୍ତ୍ତବ୍ୟରୁ ଓହରି ନଥିଲେ । ପ୍ରିୟଙ୍କାଙ୍କ ରାଲି ନସରିବା ଯାଏଁ ସେ ତାଙ୍କ ପାଖେ ପାଖେ ଥିଲେ । ଭାଇ ମୃତ୍ୟୁର ଖବର ଶୁଣି ଛାତିକୁ ପଥର କରି ଡ୍ୟୁଟି କରିଚାଲିଥିଲେ ।

ତେବେ ରାଲି ବେଳେ ପ୍ରିୟଙ୍କା ଗାନ୍ଧୀ ଅର୍ଚ୍ଚନାଙ୍କ ଉପରେ ଆରୋପ ଲଗାଇଥିଲେ । ବିରୋଧ ବେଳେ ଅର୍ଚ୍ଚନା ତାଙ୍କ ବେକ ଦବାଇଥିବା ଅଭିଯୋଗ କରିଥିଲେ ପ୍ରିୟଙ୍କା । ସେତେବେଳେ ଭାଇ ମୃତ୍ୟୁର ଖବର ଶୁଣି ଥିବାରୁ ଅଭିଯୋଗ ମିଥ୍ୟା ବୋଲି କହି ଚୁପ ରହିଥିଲେ ଅର୍ଚ୍ଚନା ।

ତେବେ ରାଲି ସରିବା ପରେ ଅର୍ଚ୍ଚନା ନିଜ ସହକର୍ମୀଙ୍କୁ ଭାଇ ମୃତ୍ୟୁର ଖବର ଜଣାଇଥିଲେ । ପିଲାବେଳୁ ସାଙ୍ଗ ହୋଇ ଖେଳକୁଦ, ପାଠପଢା କରିଥିବା ଭାଇ ରୋଗରେ ପଡି ଆଖିବୁଜିବା କଥାକୁ ଅର୍ଚ୍ଚନା ସହଜରେ ଗ୍ରହଣ କରି ପାରିନଥିଲେ । ଯାହା ତାଙ୍କ ଆଖିରେ ଜକେଇ ଆସିଥିବା ଲୁହ କହି ଦେଇଥିଲା । ତେବେ କର୍ତ୍ତବ୍ୟ ବେଳେ ବି ଭାଇର ମୃତ୍ୟୁ ଖବର ଶୁଣି ସେମିତି କର୍ତ୍ତବ୍ୟକୁ ପାଳନ କରିଥିବା ଅର୍ଚ୍ଚନାଙ୍କୁ ସମସ୍ତେ ସାଲ୍ୟୁଟ୍ କରିବା ସହ ତାଙ୍କ କର୍ତ୍ତବ୍ୟପରାୟଣତାକୁ ଚାରିଆଡୁ ପ୍ରଶଂସା କରାଯାଇଛି ।