ପିକନିକ୍ ସାରି ଘରକୁ ଫେରୁଥିଲେ ଯୁବକ । ବାଟରେ ଘଟିଲା ଛାତିଥରା ଦୁର୍ଘଟଣା, ଚାଲିଗଲା ଜୀବନ ।

3,060

କନକ ବ୍ୟୁରୋ : ଚଳିତବର୍ଷର ଶେଷ ରବିବାର ଅବସରରେ ପିକ୍‌ନିକ୍‌ ସାରି ଘରକୁ ଫେରୁଥିବା ବେଳେ କାର୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଚଗଲା ରଣା (୨୧) ଆଜି ସକାଳୁ ନିଜ ଉଚ୍ଚବିଦ୍ୟାଳୟର ସାଙ୍ଗମାନଙ୍କ ସହ ପିକନିକ୍‌ ପାଇଁ ଦଦରାଘାଟି ଡ୍ୟାମ୍‌କୁ ଯାଇଥିଲେ । ସେଠାରେ ସେ ପିକନିକ୍‌ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ । ଚଗଲା ଏକ ମୋଟର ସାଇକେଲ୍‌ରେ ଫେରୁଥିବା ବେଳେ ଗାଁ ନିକଟ ଶିବ ମନ୍ଦିର ପାଖରେ ପଛପଟରୁ ଏକ ଇନୋଭା (ଓଡି ୦୨ ଏସ୍‌ ୦୦୨୬) ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ଚଗଲା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଗାଁର ଶିବ ମନ୍ଦିର ପୂଜକ କୃଷ୍ଣ ରଣାଙ୍କର ସାନ ପୁଅ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ରଖି ଉତ୍ତେଜନା ପ୍ରକାଶ କରିଥିଲେ । ଉତ୍ତେଜିତ ଲୋକେ କାର ଚାଳକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଶତାଧିକ ଯାନବାହନ ଅଟକି ରହିଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ । ସୂଚନା ପାଇ ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ଘଟଣାସ୍ଥଳକୁ ପୁଲିସ ଟିମ୍‌ ସହ ପହଞ୍ଚି ଥିଲେ । ସେ ଲୋକଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା । ପୁଲିସ ମୃତଦେହ ଜବତ କରିଛି । ଆସନ୍ତାକାଲି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

ଜାଣିବାକୁ ମିଳିଛି ଯେ, ଚଗଲାଙ୍କ ପରିବାର ଲୋକେ ଗରିବ ଶ୍ରେଣୀର ଥିଲୋ । ଘରେ ତାଙ୍କର ୨ ଭାଇ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ଚଗଲା ଜେସିବି ଗାଡ଼ି ଚଳାଉଥିଲେ । ଏଥିରୁ ମିଳୁଥିବା ଟଙ୍କାରେ ସେ ପରିବାର ଚଳାଇବାରେ ସହଯୋଗ କରୁଥିଲେ ।