ବିଦେଶୀ ଲିଗରେ ଟିମ୍ କିଣୁଛନ୍ତି ଆଇପିଏଲ୍ ଟିମର ମାଲିକ । ବିସିସିଆଇର ବଢିଲା ଟେନସନ୍ ।

313

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଟି-୨୦ କ୍ରିକେଟ୍ ଜଗତର ଗୋଟିଏ ବଡ ବ୍ରାଣ୍ଡ କହିଲେ କିଛି ଭୁଲ ହେବନି । କାହିଁକି ନା, ଏହି ଲିଗରେ ଦେଶ ବିଦେଶର ଚର୍ଚ୍ଚିତ ଖେଳାଳିମାନେ ସାମିଲ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅନ୍ୟ ଦେଶମାନଙ୍କରେ ଆରମ୍ଭ ହୋଇଥିବା ଟି-୨୦ କ୍ରିକେଟ୍ ଲିଗ୍ ବିସିସିଆଇ ପାଇଁ ବଡ ଟେନସନ୍ ଆଣିଛି । ବିଶେଷକରି ଆଇପିଏଲ୍ ଫ୍ରାଞ୍ଚାଇଜ୍ ମାନେ ବିଦେଶୀ ଲିଗରେ ଟିମ୍ କିଣିବା ଆଇପିଏଲର ବ୍ରାଣ୍ଡ ଭାଲ୍ୟୁକୁ କମାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି । ବିସିିସିଆଇର କହିବା କଥା, ଆଇପିଏଲକୁ ଯେଭଳି ବ୍ରାଣ୍ଡ ଭାବେ ଗଢାଯାଇଛି, ସେହି ବ୍ରାଣ୍ଡକୁ ସୁରକ୍ଷିତ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଆଇପିଏଲ ବ୍ରାଣ୍ଡ ଭାଲ୍ୟୁର ଫାଇଦା ଉଠାଇ ଯଦି ବିଦେଶୀ ଲିଗ୍ ଲୋକପ୍ରିୟତା ହାସଲ କରନ୍ତି, ତେବେ ଆଇପିଏଲ ପାଇଁ ଏହା ଚିନ୍ତାଜନକ ହୋଇପାରେ ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ବ୍ୟତୀତ ଏବେ ଦକ୍ଷିଣ ଆଫ୍ରିକା ଲିଗ୍, ୟୁଏଇ ଟି-୨୦ ଲିଗ୍ ଓ କାରବିଆନ୍ ଟି-୨୦ ଲିଗରେ ମଧ୍ୟ ଆଇପିଏଲ୍ ଫ୍ରାଞ୍ଚାଇଜମାନେ ଟିମ୍ କିଣିଛନ୍ତି । ସେଠାକାର ଦଳମାନଙ୍କର ନାଁ ମଧ୍ୟ ଆଇପିଏଲ୍ ଦଳମାନଙ୍କର ନାଁ ସହିତ ସମାନ ରହିଛି । ତେଣୁ ଏହାଦ୍ୱାରା ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ କମିପାରେ ବୋଲି କୁହାଯାଉଛି । ଜାଣି ରଖିବା ଉଚିତ୍ ଯେ, ଦକ୍ଷିଣ ଆଫ୍ରିକା ଟି-୨୦ ଲିଗର ୬ଟି ଟିମର ମାଲିକାନା ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ହାତରେ ରହିଛି । ସେହିପରି ୟୁଏଇ ଟି-୨୦ ଲିଗରେ ୩ଟି ଓ କାରବିଆନ୍ ପ୍ରିମିୟର ଲିଗରେ ୩ଟି ଟିମର ମାଲିକାନା ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ହାତରେ ରହିଛି ।