ଆଇପିଏଲ ଟିମ୍ ଲକ୍ଷ୍ନୌ ସହ ଯୋଡିହେଲେ ଗୌତମ ଗମ୍ଭୀର । ଟିମ୍ ମେଣ୍ଟର ଭାବେ ଗୌତମଙ୍କୁ ଦାୟିତ୍ୱ ଦେଲା ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ ।

155

କନକ ବ୍ୟୁରୋ: ପୁଣି ଆଇପିଏଲରେ ଯୋଡିହେଲେ ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର । ହେଲେ ଏଥର ଖେଳାଳି ଭାବେ ନୁହେଁ ବରଂ ଟିମ୍ ମେଣ୍ଟର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି । ତେଣୁ ଆଗାମୀ ଆଇପିଏଲରେ ଗୌତମଙ୍କ ଗେମ୍ ପ୍ଲାନ୍ ଲକ୍ଷ୍ନୌ ଦଳକୁ ମିଳିବାକୁ ଯାଉଛି ।

ଏହା ପୂର୍ବରୁ ଆଇପିଏଲର ଏହି ନୂଆ ଫ୍ରାଞ୍ଚାଇଜ୍ ଜିମ୍ବାୱେ ଦଳର ପୂର୍ବ ଅଧିନାୟକ ଆଣ୍ଡି ଫ୍ଲାୱାରଙ୍କୁ ନିଜର କୋଚ୍ ଭାବେ ନିଯୁକ୍ତ କରିଥିଲା । ଏହାପରେ ଗୌତମଙ୍କୁ ନିଜର ମେଣ୍ଟର ଭାବେ ନିଯୁକ୍ତ କରିବା ପରେ ଏହି ଦୁଇ ବଡ ନାଁ ଏବେ ଲକ୍ଷ୍ନୌ ଟିମ୍ ସହ ଯୋଡି ହେବାକୁ ଯାଉଛନ୍ତି । ତେବେ ଜାଣିରଖିବା ଉଚିତ୍ ଯେ, ଆଇପିଏଲର ଏହି ନୂଆ ଫ୍ରାଞ୍ଚାଇଜ ହେଉଛି ଆଇପିଏଲର ସବୁଠୁ ମହଙ୍ଗା ଟିମ୍ । ଏହି ଟିମକୁ ଗୋଏଙ୍କା ଗ୍ରୁପ୍ ପ୍ରାୟ ୭ ହଜାର କୋଟିରେ କିଣିଛି ।

ଗୌତମ ଗମ୍ଭୀର ଏହା ପୂର୍ବରୁ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଅଧିନାୟକ ମଧ୍ୟ ରହିଥିଲେ । ତାଙ୍କ ନେତୃତ୍ୱରେ ଦଳ ଦୁଇ ଦୁଇ ଥର ଆଇପିଏଲ ଚାମ୍ପିୟନ୍ ମଧ୍ୟ ହୋଇଥିଲା । ଏହାପରେ ଏବେ ଲକ୍ଷ୍ନୌ ଟିମ୍ ସହ ଯୋଡି ହେବା ପରେ ଗମ୍ଭୀର ମଧ୍ୟ ଆରପିଏସଜି ଗ୍ରୁପକୁ ଧନ୍ୟବାଦ ଦେଇଛନ୍ତି । ଗୌତମ କହିଛନ୍ତି, ଏବେ ବି ଜିତିବା ପାଇଁ ମୈଦାନକୁ ଓହ୍ଲାଇବାକୁ ଚାହୁଁଛି । ଏହା କେବଳ ଗୋଟିଏ ଟିମ ପାଇଁ ନୁହେଁ ବରଂ ଉତ୍ତରପ୍ରଦେଶର ଯୁବ କ୍ରିକେଟରଙ୍କୁ ସାଙ୍ଗରେ ନେଇ ଚାଲିବି ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୨ରେ ମୋଟ ୧୦ ଟିମ୍ ଖେଳିବାକୁ ଯାଉଛନ୍ତି । ଏଥର ଲକ୍ଷ୍ନୌ ଓ ଅହମ୍ମଦାବାଦ ଟିମ୍ ନୂଆ କରି ଆଇପିଏଲରେ ସାମିଲ ହୋଇଛନ୍ତି । ଆଣ୍ଡି ଫ୍ଲାୱାର ଓ ଗୌତମଙ୍କୁ ନିଜ ଟିମରେ ସାମିଲ କରିବା ପରେ ଏହି ଟିମ୍ ଆଗାମୀ ନିଲାମରେ କେଏଲ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ କେ ଏଲ ରାହୁଲ ଏହି ଟିମର ଅଧିନାୟକ ମଧ୍ୟ ନିଯୁକ୍ତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।