ବାଲିଆପାଳର ପକୁଡି ମ୍ୟାନ୍ । ସବୁ ପରିବାରେ ଛାଣୁଛନ୍ତି ପକୁଡି । ଭେରାଇଟି ପକୁଡି ଖାଇବାକୁ ଲାଗୁଛି ଲୋକଙ୍କ ଭିଡ ।

666

କନକ ବ୍ୟୁରୋ: ତତଲା ତେଲରେ ଛଣା ହେଉଥିବା ଗରମା ଗରମ ପକୁଡିକୁ ଦେଖିଲେ ଭାରି ଲୋଭ ଲାଗେ । ପକୁଡି ସମସ୍ତଙ୍କ ପସନ୍ଦ, ପକୁଡି ଖାଇବାକୁ ସମସ୍ତେ ଚାହାନ୍ତି । ଆପଣ ମୁଁ ଏବଂ ଅନ୍ୟମାନେ । ସେ ସକାଳ ହେଉ କି ସଞ୍ଜ ଅବା ହେଉ କୋହଲା ପାଗ । ପକୁଡି ଖାଇବାକୁ ସବୁବେଳେ ପ୍ରସ୍ତୁତ ଥାଏ ପାଟି । ଆଳୁ ପକୁଡି, ପିଆଜ ପକୁଡି, କୋବି ପକୁଡି ପ୍ରାୟ ସମସ୍ତେ ଖାଇଥିବେ । ହେଲେ ସବୁ ପରିବାରେ ବି ପକୁଡି ଛଣାହୋଇପାରିବ ତା ବି ପୁଣି ପାଟିକୁ ସୁଆଦିଆ ଲାଗିବ । ସେ କଥାକୁ ସତ କରିଦେଖାଇଛନ୍ତି ବାଲିଆପାଳର ଏ ପକୁଡି ଭାଇନା ।

ବାଲେଶ୍ୱର ବାଲିଆପାଳ ଛକରେ ତେଲଭାଜି ଦୋକାନ କରିଛନ୍ତି ଗଦାଧର ସାହୁ । ଦୋକାନ ତ ନୁହେଁ ଏଇଟା ଗଦା ଭାଇନାଙ୍କ ପକୁଡି ଭେରାଇଟି ଷ୍ଟୋର । ଯେଉଁଠି ଆପଣ ଯେମିତି ଓ ଯେଉଁ ପ୍ରକାରର ପକୁଡି ଖୋଜିବେ ପାଇବେ । ଆଳୁ, ପିଆଜ, ବାଇଗଣ ପକୁଡି ତ ଆମେ ଘରେ ବନେଇ ଖାଉ ହେଲେ ଏଠି ଶାଗ, କଲରା, କଦଳୀ, ଝୁଡଙ୍ଗ, ଟମାଟୋ, ଗାଜର, କୁନ୍ଦୁରୀ, ବୋଇତାଳୁ, ଭେଣ୍ଡି… ଏମିତି କି ଧନିଆଁ ପତ୍ରରେ ବି ପକୁଡି ଛାଣି ସେ ଲୋକଙ୍କୁ ଖୁଆନ୍ତି । ଆପଣ ଯାହା ଖୋଜିବେ ସେହି ପରିବାର ପକୁଡି ଛାଣି ଲୋକଙ୍କ ମନ ଜିଣୁଛନ୍ତି ଗଦାଧର ।

ଖାଲି ଭେରାଇଟି ପକୁଡି ନୁହେଁ ଖାଇବାକୁ ଭାରି ଟେଷ୍ଟି ବି ଲାଗେ ତାଙ୍କ ହାତ ତିଆରି ପକୁଡି । ଗରମଗରମ ପକୁଡି ସହ ଛଣା କଞ୍ଚାଲଙ୍କା ଲୋକଙ୍କୁ ତାଙ୍କ ଦୋକାନକୁ ଟାଣେ । ତେଲଛଣା ସହ ଶାଳପତ୍ରରେ ମୁଢି ଆଳୁଦମ ବି ଲୋକେ ତାଙ୍କ ଠାରୁ ଖାଇବାକୁ ଆସନ୍ତି ।

ସକାଳ ସାଢେ ୬ଟାରୁ ଦିନ ୧୧ଟା ଯାଏଁ ଗଦାଧର ଦୋକାନ ଖୋଲୁଥିବା ବେଳେ ନିଜେ ବୁଦ୍ଧିଖଟାଇ ବିଭିନ୍ନ ପରିବାର ପକୁଡି ଛାଣନ୍ତି । ଆଉ ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଲୋକେ ଆପେଆପେ ଭିଡ ଜମାନ୍ତି । ଆଗରୁ ଏହି ଦୋକାନରେ ଦିନକୁ ୩ରୁ ୪ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ କରୋନା ପରଠାରୁ ବେପାର କମିଯାଇଛି । ହେଲେ ଗଦାଧର ଭାଇଙ୍କ ଭେରାଇଟି ପକୁଡି ଯିଏ ଥରେ ଖାଇଛି ସେ କେବେ ଭୁଲି ପାରିନି ବରଂ ଆଉ ଥରେ ଖାଇବାକୁ ଧାଇଁଛି ।