ରେଜ୍ ଫାଉଣ୍ଡେସନର ଅର୍ନ୍ତଜାତୀୟ ମହିଳା ଦିବସ ପାଳନ । ସ୍ୱଂୟସିଦ୍ଧା ସମ୍ମାନରେ ସମ୍ମାନୀତ ହେଲେ ୮ଜଣ ମହିଳା ପ୍ରତିଭା

85

କନକ ବ୍ୟୁରୋ: ସୋମବାର କଟକର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରେଜ୍ ଫାଉଣ୍ଡେସନ ଆନୁକୂଲ୍ୟରେ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ ମହାନଦୀ ଭବନ ପରିସରରେ ‘ସ୍ୱଂୟସିଦ୍ଧା ସମ୍ମାନ-୨୦୨୨’ ଆୟୋଜିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖକୁ ଅର୍ନ୍ତଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ । ଏଣୁ ଏହି ଦିବସର ଅବ୍ୟବହିତ ଅବସରରେ ଆଜି ରେଜ୍ ଫାଉଣ୍ଡେସନ ପକ୍ଷରୁ ସ୍ୱଂୟସିଦ୍ଧା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଆଇ.ଏଚ୍.ଏସ୍.ର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ରୁଚି ଫୁଡଲାଇନର ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ସଲିନା ସାହୁ । ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଫିକି ମହିଳା ପ୍ରତିଷ୍ଠାନ,ଭୁବନେଶ୍ୱରର ପ୍ରତିଷ୍ଠାତ୍ରୀ- ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ । ନାରୀମାନେ ଯେ ଅବଳା,ଦୁର୍ବଳା ନୁହଁନ୍ତି ତାହା ପ୍ରମାଣିତ ହୋଇସାରିଛି । ଏକବିଂଶ ଶତାବ୍ଦୀର ନାରୀ ସର୍ବଗୁଣା ସଂପନ୍ନା ବୋଲି ପ୍ରକାଶ କରିଥିଲେ ମୁଖ୍ୟ ଅତିଥି ଆର୍ଯ୍ୟା ମ୍ୟାଡ଼ାମ୍ । ସେହିପରି ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ଯେ, ଆଜିର ନାରୀ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଉଭୟ ପାରିବାରିକ ଓ ବୃତ୍ତିଗତ ଜୀବନରେ ବେଶ୍ ସଫଳ । ସେମାନଙ୍କର ପ୍ରଚଣ୍ଡ ପ୍ରତିଭା ଓ ଅସୀମ ଧୈର୍ଯ୍ୟବଳରେ ସେମାନେ ସବୁଠି ବିଜୟିନୀ । ସେହିପରି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ ଯେ ନାରୀ ଆଜି କବାଟ କୋଣରେ କି ଚୁଲି ମୁଣ୍ଡରେ ନବସି ବିଶ୍ୱର ପ୍ରତ୍ୟେକ କୋଣରେ ସବୁ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିଛି ତା’ଭିତରେ ଥିବା ଗଭୀର ଆତ୍ମବିଶ୍ୱାସ ଓ ଦୃଢ଼ଇଚ୍ଛା ଶକ୍ତି ବଳରେ । ସଲିନା ସାହୁ ରେଜ୍ ଫାଉଣ୍ଡେସନର ଏ ନିଆରା ପ୍ରୟାସକୁ ପ୍ରଶଂସା କରିଥିଲେ ।

ଆଜିର ସ୍ୱଂୟସିଦ୍ଧା ସମ୍ମାନ-୨୦୨୨ କାର୍ଯ୍ୟକ୍ରମରେ କଟକର ୮ଜଣ ବିଶିଷ୍ଟ ମହିଳାଙ୍କୁ ସେମାନଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ପ୍ରଚଣ୍ଡ ପ୍ରତିଭା ଓ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନଦୀ ବିହାର ପରିଚିତା ଯୋଗଗୁରୁ ନିରୁପମା ପତିଙ୍କୁ ଯୋଗ ପ୍ରଶିକ୍ଷଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ, ନିଜର ଛୋଟ ବ୍ୟବସାୟ ପାଇଁ କବିତା ସାହୁଙ୍କୁ ସଫଳ ମହିଳା ବ୍ୟବସାୟୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କର୍କଟ ଶିଶୁମାନଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ଯୁବ ସମାଜ ସେବିକା ମନସ୍ୱିନୀ ପରିଡ଼ାକୁ ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ କଟକର ପ୍ରଥମ ଜୋମାଟୋ ଗାର୍ଲ ଭାବେ ପରିଚିତ ବିଷ୍ଣୁପ୍ରିୟା ସ୍ୱାଇଁକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ସେହିପରି କଟକରେ ନିଜ ପିତାଙ୍କ ଦହିବରା ବ୍ୟବସାୟକୁ ଆଗେଇ ନେଇଥିବା ରୂପଶ୍ରୀ ଦାଶଙ୍କୁ ସଫଳ ମହିଳା ବ୍ୟବସାୟୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ ଲିପିନା ସୁବୁଦ୍ଧି, ମମତା ମହାନ୍ତି ଓ ଦୀପିକା ଜେନାଙ୍କୁ ସ୍ୱତନ୍ତ୍ର ସ୍ୱଂୟସିଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧିତ ୮ଜଣ ପ୍ରତିଭା ନିଜର ସଫଳ କାହାଣୀ ସଂପର୍କରେ ଆଲୋକ ପାତ କରିଥିବାବେଳେ ରେଜ୍ ଫାଉଣ୍ଡେସନର ଏ ନିଆରା ପ୍ରୟାସ ଓ ସ୍ୱଂୟସିଦ୍ଧା ସମ୍ମାନକୁ ବେଶ୍ ପ୍ରଶଂସା କରିଥିଲେ । ଏହି ସମ୍ମାନ ସେମାନଙ୍କୁ ଆହୁରି ପ୍ରେରଣା ଦେବ ଆଗକୁ ବଢ଼ିବା ପାଇଁ ଓ ଭଲ କାର୍ଯ୍ୟ କରିବା ପାଇଁ । ରେଜ୍ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓଡ଼ିଶାର ଜଣେ ସଫଳ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଆଜି ଆସିପାରିନଥିବା ବେଳେ ତାଙ୍କର ବାର୍ତ୍ତା ପଠାଇଥିଲେ । ଅନୁଷ୍ଠାନର ସଂପାଦକ ଅଭିନାଶ ସିଂହ ଫାଉଣ୍ଡେସନ ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ଆଲୋପାତ କରିଥିଲେ ।

ଆଜିର କାର୍ଯ୍ୟକ୍ରମକୁ ସାଗନିକା ମହାପାତ୍ର ଓ ସୌମା ସମାପ୍ତା ମିଶ୍ର ଉପସ୍ଥାପନା କରିଥିବାବେଳେ ରେଜ୍ ଫାଉଣ୍ଡେସନର ସଦସ୍ୟା ଦେବସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ ଓ ଅନ୍ୟମାନେ । ୫୦ରୁ ଊର୍ଦ୍ଧ୍ୱ ମହିଳା ବୁଦ୍ଧୀଜୀବୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍ୱଂୟସିଦ୍ଧା ସମ୍ମାନ-୨୦୨୨ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ହ୍ୱାଇସ୍ ହାଉସ୍ ଇଭେଣ୍ଟ ଟିମର ସଦସ୍ୟ ମାନେ । ଆଗାମୀ ଦିନରେ ରେଜ୍ ଫାଉଣ୍ଡେସନ ଅନେକ ସାମାଜିକ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖିଛି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ ।