ଅଶୋଧିତ ତେଲ ବଜାରରେ ଲାଗିଲା ନିଆଁ । ୧୪ ବର୍ଷର ଭାଙ୍ଗିଲା ରେକର୍ଡ, ଖୁବଶୀଘ୍ର ଦେଶରେ ପେଟ୍ରୋଲ, ଡିଜେଲ ହୋଇପାରେ ମହଙ୍ଗା ।

782

କନକ ବ୍ୟୁରୋ : ୟୁକ୍ରେନ-ରୁଷ୍ ପରେ ସାରାବିଶ୍ୱରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧିପାଇଛି । ମାତ୍ର କେଇ ଦିନ ଭିତରେ ସବୁ ରେକର୍ଡ ଭାଙ୍ଗିଛି ବ୍ୟାରେଲ ପିଛା ଦର । ବ୍ୟାରେଲ ପିଛା ଦର ୧୩୦ଡଲାର ଛୁଇଁଯାଇଛି । ଯାହାର ପ୍ରଭାବରେ ଆଗାମି ଦିନରେ ଭାରତରେ ତୈଳ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ଅଶୋଧିତ ତେଲ ବଜାରରେ ନିଆଁ । ଭାଙ୍ଗିଲା ୧୪ ବର୍ଷର ରେକର୍ଡ । ସେୟାର ବଜାରରେ ହଇଚଇ । ରୁଷ-ୟୁକ୍ରେନ୍ ଲଢ଼େଇ ୧୨ ଦିନରେ ପହଞ୍ଚିଥିବା ବେଳେ ଅନ୍ତର୍ଜାତୀୟ ତେଲ ବଜାରରେ ନିଆଁ ଲାଗିଯାଇଛି । ଅଶୋଧିତ ତେଲ ଦର ୨୦୦୮ ପରେ ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ବଢ଼ିଯାଇଛି ୧୦ ପ୍ରତିଶତରୁ ଅଧିକ ।

ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି । ରୁଷ-ୟୁକ୍ରେନ୍ ଯୁଦ୍ଧର କୌଣସି ସମାଧାନ ନହେବା ଏବଂ ରୁଷ ଉପରେ ପାଶ୍ଚାତ୍ୟ ଦେଶର ଆର୍ଥିକ କଟକଣା ଯୋଗୁଁ ହୁ ହୁ ହୋଇ ବଢ଼ିଛି ତୈଳ ଦର । ଆଜି ବଜାର ଆରମ୍ଭ ହେବା ମାତ୍ରେ ଉପରମୁହାଁ ହୋଇ ଯାଇଥିଲା ତେଲର ମୂଲ୍ୟ । ଏପରିକି ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ୧୩୦ ଡଲାରରେ ପହଞ୍ଚିଯାଇଥିଲା । ଯାହାର ପ୍ରଭାବ ଖୁବଶୀଘ୍ର ଭାରତୀୟ ବଜାରରେ ପଡିବାକୁ ଯାଉଛି । ୟୁପି ସମେତ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ଡିଜେଲ, ପେଟ୍ରୋଲ ଦରରେ ସାମୟିକ ବ୍ରେକ୍ ଲାଗିଥିଲା । ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଯାଇଛି । ତେଣୁ ଅନୁମାନ କରାଯାଉଛି, କିଛି ଦିନ ଭିତରେ ୧୦-୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ଦର ।

କେବଳ ଅଶୋଧିତ ତେଲର ମୂଲ୍ୟ ନୁହେଁ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ପାଖାପାଖି ୭୭ ଟଙ୍କାରେ ପହଞ୍ଚି ଯାଇଛି ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଅର୍ଥନୀତି ବିଶେଷଜ୍ଞ । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୬ଟଙ୍କା ୯୬ ପଇସା ହୋଇଛି । ସୁନା ଓ ରୁପା ଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ୟୁକ୍ରେନ୍-ରୁଷ ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇଛି ।