ମହାକାଳପଡ଼ା ଗୁଳିକାଣ୍ଡ ନେଉଛି ନାଟକୀୟ ମୋଡ । ହତ୍ୟାକାରୀ ପଛରେ ପ୍ରେମିକା ଥିବା ନେଇ ଚର୍ଚ୍ଚା ।

113

କନକ ବ୍ୟୁରୋ : ମହାକାଳପଡା ଗୁଳିକାଣ୍ଡ ମାମଲାର ତଦନ୍ତ ଆଗେଇବା ସହ ନୂଆ ନୂଆ କଥା ସାମନାକୁ ଆସୁଛି । ଗୁଳିକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଛି । ପୁଅ ଶୁଭକେଶଙ୍କୁ ମାରିବାକୁ ଆସିଥିିବା ସୁପାରୀ କିଲର ଭୁଲରେ ତାଙ୍କ ବାପାଙ୍କୁ ମାରି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ପ୍ରକୃତ ରହସ୍ୟ କଣ ତାହା ତଦନ୍ତ ପରେ ସାମନାକୁ ଆସିବ ।

ମହାକାଳପଡା ଥାନା ବବକରପୁର ଗୁଳିକାଣ୍ଡ ମାମଲାରେ ପୁଲିସ ତଦନ୍ତ ଯେତିକି ଆଗକୁ ବଢ଼ୁଛି ସେତିକି ନୂଆ ନୂଆ ରହସ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପ୍ରେମକାହାଣୀକୁ ନେଇ ଗୁଳିକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି ।

ଗୁଳିକାଣ୍ଡ ପଛର କାରଣ କଣ ? ମାରିବା ପାଇଁ କିଏ ଦେଇଥିଲା ସୁପାରୀ ? ଶନିବାର ଦିନ ଦ୍ୱିପ୍ରହରେ ଅବସରପ୍ରାପ୍ତ ଜିପିଓ ଅରବିନ୍ଦ ମିଶ୍ରଙ୍କ ଘରେ ପଶି ଦୁବୃର୍ତମାନେ ଗୁଳି ମାଡ କରିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । କାହାକୁ କିଛି କହୁନଥିବା ଏହି ବରିଷ୍ଠ ନାଗରିକଙ୍କୁ କିଏ ଓ କାହିଁକି ଗୁଳି କରି ମାରିଲେ ତାହା ବୁଝାପଡିନଥିଲା । କିନ୍ତୁ ଏବେ ଏହି ଗୁଳିକାଣ୍ଡ ପଛରେ ଯେଉଁ ରହସ୍ୟମୟ ଦିଗ ସାମନାକୁ ଆସିବାରେ ଲାଗିଛି ତାହା ଆଶ୍ଚର୍ଯ୍ୟ କଲା ଭଳି । ସୂଚନା ଅନୁସାରେ ପୁଅ ଶୁଭକେଶଙ୍କ ପ୍ରେମ ସମ୍ପର୍କ ପାଇଁ ଏହି ଗୁଳିକାଣ୍ଡ ଘଟିଥିଲା । ଆଉ ଶୁଭକେଶଙ୍କୁ ବାଟରୁ ହଟାଇବା ପାଇଁ ଗୁଳିମାଡ କରିଥିଲେ ସୁପାରୀ କିଲର ।

ସୁପାରୀ କିଲର କିନ୍ତୁ ସେମାନଙ୍କ ମିଶନରେ ଫେଲ ହେବା ସହ ଧରାପଡି ଯାଇଥିଲେ । ଶୁଭକେଶକୁ ମାରିବା ବଦଳରେ ବାପା ଅରବିନ୍ଦଙ୍କୁ ପ୍ରଥମେ ଗୁଳି ମାଡ କରିଥିଲେ । ଆଉ ଘଟଣାସ୍ଥଳରେ ହିଁ ଅରବିନ୍ଦଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ବଂଚିଯାଇଥିଲେ ପୁଅ ।

କୁହାଯାଉଛି, ବାହାଘର ପୂର୍ବରୁ ଶୁଭକେଶ ଓରଫ କାହ୍ନାଙ୍କର ଯାଜପୁର ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ପରେ ଶୁଭକେଶ ଅନ୍ୟତ୍ର ବିବାହ କରିଥିଲେ । ହେଲେ, ପୁୁରୁଣା ପ୍ରେମକୁ ଭୁଲି ପାରି ନଥିଲେ । ପ୍ରେମିକାଙ୍କ ପାଖକୁ ମଝିରେ ମଝିରେ ଯାଉଥିଲେ । ଏହା ଜଣାପଡିବା ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ହୋଇଥିଲା ଓ ଅଲଗା ରହୁଥିଲେ । ସେପଟେ ପ୍ରେମିକାଙ୍କର ଆଉ ଜଣେ ଯୁବକଙ୍କ ସହ ସମ୍ପର୍କ ହୋଇଥିଲା । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ପରବର୍ତି ସମୟରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ଗୁଳିକାଣ୍ଡ ପଛରେ କାହାର ରହିଛି ହାତ । ପତ୍ନୀଙ୍କର ଏଥିରେ ଭୂମିକା କଣ? ୪ଟି ଟିମ୍ କରି ସମସ୍ତ ଦିଗରୁ ତଦନ୍ତ କରୁଛି ପୁଲିସ । ଗୁଳିକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରିବା ସହ ୫ଟି ମୋବାଇଲ ୩ଟି ବନ୍ଧୁକ ଜବତ କରିଛି ପୁଲିସ ।