ଇନଫୋସିଟିର ଡକାୟତ ଗ୍ୟାଙ୍ଗ: ବନ୍ଧା ହେଲା ଛୋଟା ଇସଲାମ

137

କନକ ବ୍ୟୁରୋ: ମଦ ଦୋକାନରୁ ଲୁଟ୍ ପାଇଁ ଚାଲିଥିଲା ଯୋଜନା । ଦୋକାନରେ ସଟର ପଡିବା ଲୁଟ୍ ପାଇଁ ଅପରେସନ୍ କରିଥାନ୍ତେ ଲୁଟେରା । ହେଲେ ସବୁ ପଣ୍ଡ କରିଦେଲା ପୁଲିସ । ଲୁହାରଡ, ଖଣ୍ଡା, ଲଙ୍କାଗୁଣ୍ଡ, ନିଶାଦ୍ରବ୍ୟ ସହ ପଡିଆରେ ଆସର ଜମାଇଥିବା ଲୁଟେରା ଛୋଟା ଇସଲାମ୍ ଗ୍ୟାଙ୍ଗକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ ।

ରାଜଧାନୀରୁ ବନ୍ଧା ହେଲା ଛୋଟା ଇସଲାମ ଗ୍ୟାଙ୍ଗ । ନିଜ ଗ୍ୟାଙ୍ଗ ସହ ଡକାୟତି ଉଦ୍ୟମ କରୁଥିବାବେଳେ ମାଡି ବସିଲା ଇନଫୋସିଟି ଥାନା ପୁଲିସ । ଏହି ଗ୍ୟାଙ୍ଗ ଏକ ମଦ ଦୋକାନରୁ ଲୁଟ ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଂଟ ।

-ଦୋକାନ କର୍ମଚାରୀ ସଟର ପକାଇବା ପରେ ଆରମ୍ଭ ହୋଇଥାନ୍ତା ଅପରେସନ
– ସାଙ୍ଗରେ ୪ ସହଯୋଗୀଙ୍କୁ ନେଇ ପଡିଆରେ କରୁଥିଲା ଯୋଜନା
– ଲୁହାରଡ, ଖଣ୍ଡା, ଲଙ୍କାଗୁଣ୍ଡ, ନିଶାଦ୍ରବ୍ୟ ସହ ଜମାଇ ଥିଲା ଆସର

ଆଉ ନିଶା ଶକ୍ତ ହୋଇ ଲୁଟ ପୂର୍ବରୁ ଯୋଜନାକୁ ପଣ୍ଡ କରିଦେଲା ପୁଲିସ । ଏଥିରେ ଇସଲାମର ସହଯୋଗୀ ମାନେ ବି ଜଣେ ଜଣେ ଜେଲ ଫେରନ୍ତା । ଅଭିଯୁକ୍ତ ରୋମି ନାୟକ ନାଂରେ ଦୁଇଟି, କାର୍ତିକ ବେହେରା ନାଁରେ ୮ଟି, ଜିତେନ୍ଦ୍ର ସାମଲ ନାଁରେ ୪ଟି, କେ. ଶିବାଜୀ ନାଁରେ ୩ଟି ଏବଂ ଇସଲାମ ନାଁରେ ସର୍ବାଧିକ ୪୮ଟି ମାମଲା ରହିଛି ।

ନାଁ – ଛୋଟା ଇସଲାମ ଓରଫ ଏସ.କେ.ଇସଲାମ । ଛୋଟ ପ୍ୟାକେଟର ବଡ ଧମାକା । ନାଁ ଯେମିତି ଦେଖିବାକୁ ବି ସେମିତି । ଏହି ସଟ ହାଇଟ୍ ଅପରାଧୀର ଅପରାଧ ତାଲିକା ବେଶ ଲମ୍ବା । ୟା ନାଁରେ କେବଳ ଭୁବନେଶ୍ୱରରେ ରହିଛି ୪୮ଟି ମାମଲା । କ୍ୟାପିଟାଲ, ଇନଫୋସିଟି, ଲକ୍ଷ୍ମୀସାଗର, ଲିଙ୍ଗରାଜ, ଏୟାରଫିଲ୍ଡ, ଚନ୍ଦ୍ରଶେଖରପୁର, ଧଉଳି, ତମାଣ୍ଡୋ, ନୟାପଲ୍ଲୀ ଏବଂ ଖଣ୍ଡଗିରି ଅଂଚଳରେ ରହିଛି ମାଳମାଳ ମାମଲା । ଚୋରୀ, ଡକାୟତି, ଛିନତାଇ, ସିନ୍ଧି ଚୋରୀ ଏବଂ ସୁନା ମୋବାଇଲ ଝାମ୍ପିବାରେ ମାହିର ଥିଲା ଏହି ଛୋଟା ଇସଲାମ ।