‘ସ୍ମାର୍ଟ ମିଟର’କୁ ନେଇ ବଡ଼ ଅଭିଯୋଗ: ବିଜୁଳି ଦେୟକୁ ନେଇ ଆପତ୍ତି ଆଣିଲେ ଗ୍ରାହକ, ସ୍ମାର୍ଟ ମିଟରରେ ଆସୁଛି ଅଧିକ ବିଲ୍?

831

କନକ ବ୍ୟୁରୋ: ଆଗରୁ ବିଜୁଳି ବିଲ୍ ଆସୁଥିଲା ୮୦ରୁ ଶହେ ଟଙ୍କା । ଏବେ ସ୍ମାର୍ଟ ମିଟର ଲାଗିବା ପରେ ବିଜୁଳି ବିଲ୍ ଦେଖି ତାଜୁବ୍ ହୋଇଯାଉଛନ୍ତି ଉପଭୋକ୍ତା । ମାସକୁ ୪ ଶହରୁ ୫ ଶହ ଟଙ୍କାର ବିଲ୍ ଆସୁଥିବା କହିଛନ୍ତି ଭଂଜନଗରର ଗ୍ରାହକ । ସ୍ମାର୍ଟ ମିଟର ଲାଗିବା ପରେ ଏଭଳି ହେଉଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା ।

ଭଂଜନଗର କଇଣ୍ଡି ଗାଁର ବିଜୟ ବିଶୋୟୀ ଓ ବୃନ୍ଦାବନ ବେହେରା ଦୁହିଁଙ୍କ ଘରେ ଲାଗିଛି ସ୍ମାର୍ଟ ମିଟର । ହେଲେ ଏହି ମିଟରରେ ତ୍ରୁଟି ଅଛି ଦର୍ଶାଇ ବଦଳ କରିବା ପାଇଁ ଟାଟା ପାୱାର କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତିି । ଏହାର କାରଣ ହେଉଛି, ବୃନ୍ଧାବନ ବେହେରା ଘରେ ଦୁହେଁ ପ୍ରାଣୀ । କେତେବେଳେ ଗାଁରେ ରହୁଛନ୍ତି ତ କେତେବେଳେ ପୁଅ ଘରକୁ ଚାଲିଯାଉଛନ୍ତି । ହେଲେ ଆସୁଛି ଚଢ଼ା ବିଲ୍ । ଆଗରୁ ୮୦ରୁ ୧୦୦ ଟଙ୍କା ପୈଠ କରିବାକୁ ପଡ଼ୁଥିଲା ବେଳେ ସ୍ମାର୍ଟ ମିଟର ଲାଗିବା ପରେ ୪୦୦ରୁ ୫୦୦ ଟଙ୍କା ଦେୟ ପୈଠ କରିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ବୃନ୍ଦାବନ ।

କଇଣ୍ଡି ଗାଁର ବିଜୟ ବିଶୋୟୀ ପୂର୍ବରୁ ଯେଉଁ ମିଟର ଲାଗିଥିଲା ମାସ ଶେଷକୁ ବିଲ ଆସୁଥିଲା । ପୈଠ କରିଦେଲେ ଲାଇନ୍ ଚାଲୁ୍ଥିଲା । ହେଲେ ଏବେ ବିଲ୍ ଆସୁନି, ଲାଇନ୍ କଟିଲେ ଅଫିସରେ ଯାଇ ପଚାରିଲେ ୧୦୦୦ ଡ଼ିପୋଜିଟ୍ କରିବାକୁ କୁହାଯାଉଥିବା ଅଭିଯୋଗ କରିଛନ୍ତି ବିଜୟ ବିଶୋୟୀ ।

ବାଉଶଲୁଣ୍ଡିର ଜଣେ ଗ୍ରାହକଙ୍କୁ ଆଗରୁ ୧୫୦୦ରୁ ୨୦୦୦ ଟଙ୍କାର ବିଲ ଆସୁଥିଲା । ଏବେ ସ୍ମାର୍ଟ ମିଟର ଲାଗିବା ପରେ ୪୦୦୦ ଉପରେ ଦେୟ ଦେବାକୁ ପଡ଼ୁଛି ବୋଲି ଅଭିିଯୋଗ ହୋଇଛି । ବିଲ୍ ଆସୁନି ମୋବାଇଲକୁ ମେସେଜରେ ବିଲ ଯାଉଛି ବୋଲି ଟାଟା ପାୱାର କର୍ମଚାରୀ କହୁଥିବାରୁ ଦ୍ୱନ୍ଦ୍ୱ ବଢ଼ୁଥିବା ଗ୍ରାହକ କହିଛନ୍ତି । ଏଭଳି ସ୍ଥିତିରେ ସ୍ମାର୍ଟ ମିଟରକୁ ନେଇ ଭଂଜନଗର ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।