ଭାରତରେ ମଙ୍କିପକ୍ସ : କେରଳରୁ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା

94

କନକ ବ୍ୟୁରୋ : ଭାରତରେ ମଙ୍କିପକ୍ସ । କେରଳରୁ ଚିହ୍ନଟ ହୋଇଛି ପ୍ରଥମ ମଙ୍କିପକ୍ସ ମାମଲା । କିଛି ଦିନ ତଳେ ସାଉଦି ଆରବ ଏମିରେଟ୍ସରୁ ଫେରିଥିବା ଜଣେ ୩୫ ବର୍ଷୀୟ ଯୁବକ ମଙ୍କିପକ୍ସ ରୋଗରେ ପୀଡ଼ିତ ହୋଇଥିବା ସ୍ପଷ୍ଟ ହୋଇଛି । ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କର କ୍ଲୋଜ୍ କଂଟାକ୍ଟ ବା ତାଙ୍କ ସହ ସଂପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି । ବାପା-ମାଆ, ଟ୍ୟାକ୍ସି ଡ୍ରାଇଭର, ଅଟୋ ରିକ୍ସା ଡ୍ରାଇଭରଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି ।

ଏହାଛଡ଼ା ବିମାନରେ ତାଙ୍କ ସହ ଆସୁଥିବା ୧୧ ଜଣ ଯାତ୍ରୀ, କ୍ରିଉ ମେମ୍ବରଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଲାଗି ପରାମର୍ଶ ଦିଆଯାଇଛି । କେରଳର ଏହି ଯୁବକ ୟୁଏଇରେ ଜଣେ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ତିନି ଦିନ ତଳେ ୟୁନାଇଟେଡ୍ ଆରବ ଏମିରେଟସରୁ ଫେରିଥିଲେ । ତାଙ୍କ ଠାରେ ଲକ୍ଷଣ ଦେଖାଦେବାରୁ ଚିକିତ୍ସା ପାଇଁ ସେ ଡାକ୍ତରଖାନାକୁ ଯାଇଥିଲେ । ତାଙ୍କଠାରୁ ନମୁନା ସଂଗ୍ରହ କରାଯାଇ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଥିଲା । ସେଠାରୁ ମିଳିଥିବା ରିପୋର୍ଟରେ ବ୍ୟକ୍ତି ଜଣକ ମଙ୍କିିପକ୍ସରେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି ।

ଆଂଜାଇଟି ଛଡ଼ା ତାଙ୍କ ଠାରେ ଅନ୍ୟ କୌଣସି ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ନାହିଁ ବୋଲି କହିଛନ୍ତି ଡାକ୍ତର । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଭୟଭୀତ ହେବାର କାରଣ ନାହିଁ । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଡାକ୍ତରୀ ଟିମକୁ କେରଳ ପଠାଇଛନ୍ତି । କିପରି ମଙ୍କିପକ୍ସ ବ୍ୟାପିବ ନାହିଁ, ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସହ ମିଶି ଏହି ଡାକ୍ତରୀ ଟିମ୍ କାମ କରିବ । ବିଶ୍ୱରେ ୨୬ ଦେଶରେ ଏଯାଏଁ ମଙ୍କି ପକ୍ସ ଚିହ୍ନଟ ହୋଇସାରିଲାଣି । ବିଶେଷକରି ବ୍ରିଟେନରେ ଏହି ମାମଲା ଅଧିକ ରହିଛି । ଏଠାରେ ହଜାରେରୁ ଅଧିକ ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।