ମଙ୍କିପକ୍ସର ଲକ୍ଷଣ : ବିଶେଷଜ୍ଞ କହିଲେ, ମଙ୍କିପକ୍ସ କ’ଣ ଓ କେମିତି ପାଇପାରିବେ ଏଥିରୁ ରକ୍ଷା ?

139

କନକ ବ୍ୟୁରୋ : ଭାରତରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଲୋକେ । ଡବ୍ଲ୍ୟୁଏଚଓ ଅନୁସାରେ, ୫୦ରୁ ଅଧିକ ଦେଶରେ ମଙ୍କିପକ୍ସର ୩୪୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ସେଥିମଧ୍ୟରୁ ୭୦ରୁ ଊର୍ଦ୍ଧ୍ୱ ଲୋକେ ପ୍ରାଣ ହରାଇଛନ୍ତି । ଏଥିରୁ ସର୍ବାଧିକ ମାମଲା ୟୁରୋପ ଓ ଆମେରିକା ମହାଦେଶରୁ ଆସିଛି । ତେବେ ମଙ୍କିପକ୍ସ କ’ଣ ଏବଂ କେମିତି ଏଥିରୁ ରକ୍ଷା ପାଇପାରିବେ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ମଙ୍କିପକ୍ସ ଭୂତାଣୁ ପଶୁମାନଙ୍କ ଠାରୁ ମଣିଷକୁ ବ୍ୟାପିଥାଏ ।

ମଙ୍କିପକ୍ସ ଏକ ଭାଇରାଲ୍ ଭୂତାଣୁ, ଯାହା ମୂଷା ଓ ବିଶେଷକରି ମାଙ୍କଡମାନଙ୍କ ଦ୍ୱାର ମନୁଷ୍ୟକୁ ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ପ୍ରାୟ ୯୯ ପ୍ରତିଶତ ମାମଲା ପୁରୁଷ ଓ ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଛି । ଏବଂ ୮୦ ପ୍ରତିଶତ ମାମଲା ୟୁରୋପ, ପରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଛି । ମଙ୍କିପକ୍ସ ମୂଳରୂପରେ ଅତି ନିବିଡ ଭାବେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ମାଧ୍ୟମରେ ବ୍ୟାପିଥାଏ । ବର୍ତ୍ତମାନ ମଙ୍କିପକ୍ସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଚିକେନ୍ ପକ୍ସ ଟିକା ଏଥିପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ, କାରଣ ଏହା ମଙ୍କିପକ୍ସକୁ ରୋକିପାରିବ ଏବଂ ମଙ୍କିପକ୍ସର ଚିକିତ୍ସା ପାଇଁ ଚିକିତ୍ସାତ୍ମକ ଏଜେଂଟ ଭାବେ କାର୍ଯ୍ୟ କରିପାରେ ।

ଏହାକୁ ରୋକିବା ପାଇଁ ଆମକୁ ସବୁ ସର୍ତକତା ଅବଲମ୍ବନ କରିବାକୁ ପଡ଼ିବ ଏବଂ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ନଆସିବା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ସମସ୍ତ ଜିନିଷ ଠାରୁ ଦୂରେଇ ରହି ମଙ୍କିପକ୍ସକୁ ରୋକାଯାଇପାରିବ । ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ ଲୋକଙ୍କ ଠାରେ ଦେଖାଯାଉଥିବା ଚିକେନ୍ ପକ୍ସ ସହ ସମାନ । ଏହାର ପ୍ରାଥମିକ ଲକ୍ଷଣରେ ପୂରା ଶରୀରରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ । ଏହାଛଡ଼ା ନିମୋନିଆ, ଥଣ୍ଡା, ଜ୍ୱର, ଶରୀରରେ ଯନ୍ତ୍ରଣା, ଅବସାଦ, ମୁଣ୍ଡବ୍ୟଥା, ବାନ୍ତି, ପେଟବ୍ୟଥା ଓ ଝାଡ଼ା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ ।