ପାଣି ପାଇଁ ରାସ୍ତାରୋକ: ନବରଙ୍ଗପୁର ସହରକୁ ପାଣି ଯୋଗାଉ ଥିବା ହିରଲୀ ଡଙ୍ଗରି ଅଂଚଳରେ ଉତ୍କଟ ପାଣି ସମସ୍ୟା

37

କନକ ବ୍ୟୁରୋ: ପାଣି ପାଇଁ ରାସ୍ତାରୋକ । ପ୍ରବଳ ଖରା ସାଙ୍ଗକୁ ଚିନ୍ତା ବଢ଼ାଉଛି ପାଣି ସମସ୍ୟା । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ନବରଙ୍ଗପୁର ସହରକୁ ପାଣି ଯୋଗାଉ ଥିବା ହିରଲୀ ଡଙ୍ଗରି ଅଂଚଳରେ ଉତ୍କଟ ହୋଇଛି ପାଣି ସମସ୍ୟା । ଫଳରେ ଗରା, ବାଲଟି, ହାଣ୍ଡି ରଖି ରାସ୍ତା ରୋକ କରିଛନ୍ତି ମହିଳା । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଏଭଳି ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଲୋକେ । ରାସ୍ତାରୋକ ଯୋଗୁଁ ହିରିଲି ବାଇପାସ ରାସ୍ତା ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି । ଗାଁରେ ମାତ୍ର ଦୁଇଟି ନଳକୂପ ରହିଛି । ହେଲେ ସେଥିରୁ ବାହାରୁଛି ଗୋଳିଆ ପାଣି । ଗୋଳିଆ ପାଣି ପିଇ ଅନେକ ସମୟରେ ଲୋକମାନେ ରୋଗରେ ପଡ଼ୁଛନ୍ତି । ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ନଜର ନାହିଁ । ଏନେଇ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି କିନ୍ତୁ ପ୍ରତିଥର ସମସ୍ତଙ୍କ ନିକଟରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳୁଛି କିନ୍ତୁ ତାହାର ସମାଧାନ ହୋଇପାରୁନାହିଁ ।