ପ୍ରତିଶ୍ରୁତିର ବିଜୁଳି: ଭୋଟ୍ ପାଇଁ ତିନି ରାଜନୈତିକ ଦଳ ଘୋଷଣା କରିଛନ୍ତି ମାଗଣା ବିଜୁଳି ସେବା । କିଏ ୧୦୦ ତ କିଏ ଦେଉଛି ୨୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ।

174

କନକ ବ୍ୟୁରୋ: ରାଜନୀତିରେ ବିଜୁଳି । ଭୋଟରଙ୍କ ମୁଡ୍ ଜିଣିବା ପାଇଁ ଏବେ ରାଜନୈତିକ ଦଳମାନେ ମାଗଣା ବିଜୁଳି ବାବଦରେ ଘୋଷଣା କରିଛନ୍ତି । ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଯେଉଁଥିରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ୧୦୦ ୟୁନିଟ୍ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି । ଯଦି ଜଣେ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି ତାଙ୍କୁ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ । ସେହିପରି ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଥିଲେ ୫୦ ୟୁନିଟ୍ ରିହାତି ମିଳିବ । କଂଗ୍ରେସ ମଧ୍ୟ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି । ବିଜେପି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

ରାଜ୍ୟରେ ଅନେକ ସମୟରେ ବିଦ୍ୟୁତ୍ ବିଲ୍ ଅଧିକ ନିଆଯାଉଛି ବୋଲି ଅଭିଯୋଗ ଆସେ । ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଛି । ହେଲେ ଅନ୍ୟ ରାଜ୍ୟ ତୁଳନାରେ ବର୍ଦ୍ଧିତ ବିଦ୍ୟୁତ ଦରକୁ ନେଇ ଅଭିଯୋଗ ଆସେ । ଏଥିପାଇଁ ଶାସକ ଦଳ ମଧ୍ୟ ବିଭିନ୍ନ ସମାଲୋଚନାର ଶିକାର ହୋଇଛି । ଆଉ ଏହାରି ଭିତରେ ତିନି ରାଜନୈତିକ ଦଳ ନିଜ ଇସ୍ତାହାରରେ ମାଗଣା ବିଜୁଳି ବାବଦରେ ଘୋଷଣା କରିଛି । ତେବେ ମାଗଣା ବିଜୁଳି ଘୋଷଣା କରି ଅନେକ ରାଜ୍ୟର ରାଜନୈତିକ ଦଳ ଆଦୃତ ହୋଇପାରିଛନ୍ତି । ନିକଟରେ ଦିଲ୍ଲୀ କ୍ୟାବିନେଟ୍ ବିଦ୍ୟୁତ ରିହାତି ବାବଦରେ ନିଷ୍ପତ୍ତିି ନେଇଛି । ଯେଉଁଥିରେ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି ବାବଦରେ ନିଷ୍ପତ୍ତି ହୋଇଛି । ୨୦୧ ୟୁନିଟରୁ ୪୦୦ ୟୁନିଟ୍ ଯାଏଁ ୫୦ ପ୍ରତିଶତ ରିହାତିରେ ବିଜୁଳି ମିଳିବ ବୋଲି ନିଷ୍ପତି ହୋଇଛି । ଆମ ଆଦମୀ ପାର୍ଟି ସରକାର ଦୀର୍ଘ ୯ ବର୍ଷ ହେବ ଏହିପରି ସେବା ଯୋଗାଇ ଆସୁଛି ବୋଲି ନିକଟରେ କହିଥିଲେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ । ବଡ କଥା ହେଉଛି ଦିଲ୍ଲୀ ଅନ୍ୟ ରାଜ୍ୟରୁ ବିଜୁଳି କିଣି ଲୋକଙ୍କୁ ଯୋଗାଉଛି । ସେହିପରି ତେଲେଙ୍କାନାର କଂଗ୍ରେସ ସରକାର ଗୃହ ଜ୍ୟୋତି ଯୋଜନାରେ ମାଗଣା ୨୦୦ ୟୁନିଟ୍ ବିଜୁଳି ଯୋଗାଉଛି ।