ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସିଲ୍ ହୋଇଯିବ ଜନପଥ । ୨ଟାରୁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଗାଡ଼ି ଚଳାଚଳ ବନ୍ଦ ।  ନିୟୋଜିତ ୫୫ ପ୍ଲାଟୁନ ଫୋର୍ସ, ୩ ଆଣ୍ଟି ଟେରର ସ୍କ୍ୱାଡ୍ । 

206

କନକ ବ୍ୟୁରୋ: ମୋଦୀମୟ ହେବ ରାଜଧାନୀ । କମ୍ପିବ ରାଜଧାନୀର ରାଜରାସ୍ତା । ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ରାତି ୮ଟା ୧୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିିବେ । ଏଥିପାଇଁ ଟ୍ରାଫିକ କଟକଣା ଆରମ୍ଭ ହୋଇଯାଇଛି । ଦିନ ୨ଟାରୁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ସେହିପରି ୪ଟା ବେଳୁ ବାଣୀ ବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ରୋଡ୍ ସୋ’ ପାଇଁ ସଜାଗ ଓଡ଼ିଶା ପୁଲିସ ଓ ଏସପିଜି ।

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଂଚିବା ଠାରୁ ଆରମ୍ଭ କରି ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା । ବିଶେଷକରି ରୋଡ୍ ସୋ’ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍ ପୁଲିସ । ରୋଡ୍ ସୋ’ରେ ଆଗେ ଆଗେ ଚାଲି ଚାଲି ଯିବେ ପାଖାପାଖି ଶହେ ଜଣ ମହିଳା । ମହିଳାଙ୍କ ଏହି ଗ୍ରୁପ୍ର ୫୦ ମିଟର ପଛରେ ଯିବ ମୋଦୀଙ୍କ କାରକେଡ୍ । ସେହିପରି ଜନପଥର ଦୁଇ ପାଶ୍ୱର୍ରେ ପୋଲିସ ମୁତୟନ ରହିବେ । ସପିଂ ମଲ, ବଡ଼ ବଡ଼ କୋଠାରେ ବନ୍ଧୁକଧାରୀ ପୋଲିସ ସଜାଗ ରହିବେ । ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାଡ ପଇଁତରା ମାରିବେ । ମୋଦୀଙ୍କ ସୁରକ୍ଷା ପାଇଁ ଏସପିଜି ସହ ମିଶି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ । ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବ । ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ତିନୋଟି ଆଂଟି ଟେରର ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ ।