ଭାରତର ଚିନ୍ତା ବଢାଇଲା ଚୀନ ଭୂତାଣୁ। ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

121

କନକ ବ୍ୟୁରୋ: ନୂଆ ବର୍ଷ ଆରମ୍ଭ ନହେଉଣୁ ପୁଣି କରୋନାର ଭୟ ଫେରିଛି । ଚୀନ, ଜାପାନରେ କରୋନା ବିସ୍ଫୋରଣ ପରେ ସତର୍କ ହୋଇଛନ୍ତି ଭାରତ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ସାମିଲ ହୋଇଥିଲେ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ ଅପିଲ କରାଯାଇଛି । ଆଗକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ମଧ୍ୟ ଜାରି କରିପାରନ୍ତି । ନୂଆ ବର୍ଷ ଆସୁଥିବାରୁ ସାମୂହିକ କାର୍ଯ୍ୟକ୍ରମ ଉପର କଟକଣା ଲଗାଇପାରନ୍ତି । ସେପଟେ ସଂସଦରେ ବିବୃତି ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଚୀନରେ ସଂକ୍ରମଣର ସୁନାମି ଆଣିଥିବା ବିଏଫ-୭ ଭୂତାଣୁ ଓଡିଶାରେ ଚିହ୍ନଟ ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଯେମିତି ସଂକ୍ରମଣ ଦ୍ରୁତ ଗତିରେ ମାଡିନଯିବ ସେନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଓଡିଶା ପାଇଁ ଆଶ୍ୱସ୍ତିକର କଥା ହେଉଛି, ଗତ ସେପ୍ଟେମ୍ବର ୩୦ରେ ଜଣେ ମହିଳା ବିଏଫ-୭ ପ୍ରଜାତିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଏବେ ଆମେରିକାରେ ଅଛନ୍ତି । ତାଙ୍କ ଛଡା ରାଜ୍ୟର ଅନ୍ୟ କେହି ବିଏଫ-୭ ଭୁତାଣୁରେ ଚିହ୍ନଟ ହୋଇନାହାନ୍ତି । ତଥାପି ସ୍ୱାସ୍ଥ୍ୟ ବିଭାଗ କୌଣସି ହେଳା କରିବାକୁ ଚାହୁଁନାହିଁ । କରୋନା ମୁକାବିଲା ପାଇଁ ଶୁକ୍ରବାର ବୈଠକ ବସିବାକୁ ଯାଉଛି ।

ଚୀନ୍ରେ ଆତଙ୍କ ସୃଷ୍ଟି କରିଛି ବିଏଫ-୭ ଭୂତାଣୁ କେତେ ଭୟାବହ ତା ଉପରେ ନଜର ପକାନ୍ତୁ ।

କେତେ ଘାତକ ବିଏଫ୍-୭?
-ଓମିକ୍ରନ୍ର ସଂକ୍ରାମକ ସବ୍ଭାରିଆଂଟ ବିଏଫ୍-୭
-ବିଏଫ୍-୭ ଉପରେ ଆଂଟିବଡିର ପ୍ରଭାବ ପଡୁନାହିଁ
-ଟିକାର ସମସ୍ତ ଡୋଜ୍ ନେଇଥିଲେ ମଧ୍ୟ ସଂକ୍ରମିତ ହୋଇପାରିବେ
-ବିଏଫ୍-୭ ଭୂତାଣୁ ଦ୍ରୁତ ବେଗରେ ସଂକ୍ରମିତ ହେଉଛି
-ବିଏଫ୍-୭ର ଆର ଭ୍ୟାଲୁ ୧୦ରୁ ୧୮.୬
-ଜଣେ ବ୍ୟକ୍ତି ୧୦ରୁ ୧୮ ଜଣଙ୍କୁ ସଂକ୍ରମିତ କରିପାରିବେ