ଚୀନରୁ ଆସୁଛି କରୋନାର କରୁଣ ଦୃଶ୍ୟ। ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିକିତ୍ସା ପାଇଁ ଲମ୍ବା ଧାଡିଲେ ଲୋକେ।

318

କନକ ବ୍ୟୁରୋ: ବ୍ରିଟେନର ଗବେଷଣା ସଂସ୍ଥା “ଏୟାରଫିନିଟି ଏଲଟିଡି’ ଚୀନର କରୋନା ସ୍ଥିତିକୁ ନେଇ ଅନୁଧ୍ୟାନ କଲା ପରେ ଯେଉଁ ତଥ୍ୟ ଦେଇଛି, ତାହା ହୋସ୍ ଉଡ଼ାଇଲା ଭଳି । ରିପୋର୍ଟରେ କୁହାଯାଇଛି ଯେ, ଏବେ ଚୀନରେ ଦିନକୁ ୧୦ ଲକ୍ଷ ସଂକ୍ରମଣ ଘଟୁଛି, ଆଉ କରୋନାରେ ପ୍ରତିଦିନ ୫ ହଜାର ଆକ୍ରାନ୍ତଙ୍କ ଜୀବନ ଯାଉଛି । କରୋନାର ନୂଆ ଭାରିଆଣ୍ଟ ବିଏଫ-୭ ଯୋଗୁଁ ଏତେ ମାତ୍ରାରେ ସଂକ୍ରମଣ ଆସୁଛି । ବ୍ରିଟେନର ଗବେଷଣା ସଂସ୍ଥା ଆହୁରି ଆକଳନ କରିଛି ଯେ, ଆସନ୍ତାମାସକୁ ଚୀନରେ ଦୈନିକ ସଂକ୍ରମଣ ୩୭ ଲକ୍ଷ ପହଞ୍ଚିଯାଇଥିବ । ସେହିପରି ମାର୍ଚ୍ଚ ମାସ ବେଳକୁ ଚୀନରେ ଦୈନିକ ସଂକ୍ରମଣ ୪୨ ଲକ୍ଷ ଛୁଇଁଥିବ ବୋଲି “ଏୟାରଫିନିଟି ଏଲଟିଡି’ ଆକଳନ କରିଛି । ସେପଟେ ଚୀନର ସ୍ଥିତି ଉପରେ କଡ଼ା ନଜର ରଖିଛି ଭାରତ ।

ଚୀନରେ କୋଭିଡ ସ୍ଥିତି ଭୟାନକ ହୋଇପଡ଼ିଥିଲେ ବି ଜିନପିଙ୍ଗ ସରକାର ସତ ମାନିବାକୁ ନାରାଜ । ବରଂ ଚୀନ୍ ସରକାର କହିଛନ୍ତି ଯେ, ଗତ ୨୪ ଘଂଟାରେ କେବଳ ୩ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି, ଆଉ କୋଭିଡରେ କାହାର ମୃତ୍ୟୁ ହୋଇନାହିଁ । ହେଲେ ଚୀନର ବିଭିନ୍ନ ସହରରୁ ସାମ୍ନାକୁ ଆସୁଥିବା ଦୃଶ୍ୟ ଏହାକୁ ମିଛ ପ୍ରମାଣିତ କରୁଛି ।

ହସ୍ପିଟାଲ ଜାମ଼୍, ବାହାରେ ଚାଲିଛି ରୋଗୀ ଚିକିତ୍ସା
ଚୀନର ବେଜିଂ ସହରର ଏକ ହସ୍ପିଟାଲର ଦୃଶ୍ୟ ସାମ୍ନାକୁ ଆସିଛି । କୋଭିଡ ଆକ୍ରାନ୍ତଙ୍କ ଭିଡ଼ ଯୋଗୁଁ ହସ୍ପିଟାଲ ଜାମ୍ ହୋଇଗଲାଣି । ଆଉ ରୋଗୀଙ୍କୁ ରଖିବାକୁ କ୍ଷମତା ନାହିଁ । ଫଳରେ ହସ୍ପିଟାଲ ବାହାରେ ରୋଗୀଙ୍କ ଚିକିତ୍ସା ଚାଲିଛି ।

ରୋଗୀଙ୍କ ଲମ୍ବା ଧାଡ଼ି, କେତେବେଳେ ମିଳିବ ଚିକିତ୍ସା?
ଆଉ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ହସ୍ପିଟାଲ ଟିକେଟ କାଉଣ୍ଟର ନିକଟରେ ଲମ୍ବା ଧାଡ଼ି । ଶହ ଶହ ଲୋକ ଅପେକ୍ଷା କରିଛନ୍ତି, କେତେବେଳେ ସେମାନଙ୍କ ନମ୍ବର ଆସିବ, ଆଉ ଚିକିତ୍ସା ପାଇଁ ସୁଯୋଗ ମିଳିବ । ହେଲେ ଏଥିପାଇଁ ରୋଗୀଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡ଼ୁଛି ।

ହସ୍ପିଟାଲ ଭିତରେ ଗଦା ହେଲାଣିି ଶବ
ଆଉ ଗୋଟିଏ ଦୃଶ୍ୟଟି ବିଚଳିତ କଲା ଭଳି । ହଳିଦିଆ ପଲିଥିନରେ ଘୋଡ଼ାଇ ମୃତଦେହ ଗୁଡ଼ିକୁ ରଖାଯାଇଛି, ଆଉ ଗୋଟିଏ ପରେ ଗୋଟିଏ ସେଠାରୁ ସ୍ଥାନାନ୍ତର କରାଯାଉଛି ।

ଅନ୍ତର୍ଜାତୀୟ ସମାଲୋଚନା ଓ ଚୀନବାସୀଙ୍କ ପ୍ରବଳ ବିରୋଧ ପରେ ଜିରୋ କୋଭିଡ ନୀତିକୁ ହଟାଇ ଦେଇଥିଲେ ଜିନପିଙ୍ଗ ସରକାର । ଏହାପରେ କୋଭିଡର ନୂଆ ଭାରିଆଣ୍ଟ ସ୍ଥିତିକୁ ଅତି ଭୟଙ୍କର କରିଦେଇଛି ।