ଅଫିସରଙ୍କୁ କୁବେର ବନାଇ ଦେଲା ଦୁର୍ନୀତି! ଖଣି ମାଫିଆଙ୍କ ହାତବାରିସି ସାଜିଥିଲେ ସରକାରୀ ବାବୁ?

126

କନକ ବ୍ୟୁରୋ: ଗୟା ସାନ୍ତରା । ଇଡକଲ’ର ସୁରକ୍ଷା ଓ ତଦାରଖ ପାଇଁ ଏହି ବାବୁଙ୍କୁ ସରକାର, ଜଏଂଟ ମ୍ୟାନେଜରର ପଦବୀ ଦେଇ ଚୌକିରେ ବସାଇଥିଲେ । ହେଲେ ଏହି ବାବୁ ଜଣକ, ସରକାରଙ୍କଠାରୁ ଦରମା ନେଇ, ଖଣି ମାଫିଆଙ୍କ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ବାବୁଙ୍କ ନାଁରେ ଭିଜିଲାନ୍ସରେ ମାଳମାଳ ପିଟିସନ୍ ପଡ଼ିବା ପରେ ଆକ୍ସନ ମୋଡକୁ ଆସିଥିବା ଭିଜିଲାନ୍ସ, ଗୟା ସାନ୍ତରାଙ୍କ ୨୯୦ ପ୍ରତିଶତ ଆୟବର୍ହିଭୂତ ସମ୍ପତି ଠୂଳ କରିଛନ୍ତି ।

ପ୍ରଶ୍ନ ଉଠୁଛି
ବାବୁ କେମିତି ବନିଲେ କୋଟିପତି ?
୧୩ ଶହ ଟଙ୍କାରୁ ୧୩ କୋଟିର ମାଲିକ !
କିଏ ଟେକି ଦେଉଥିଲେ ଟଙ୍କା ?

୧୯୮୭ ମସିହାରେ ଆସିଷ୍ଟାଂଟ କୋଲମ୍ୟାନ ଭାବରେ ଚାକିରି ଆରମ୍ଭ କରିଥିଲେ ଗୟା । ୧୩ ଶହ ଟଙ୍କାରୁ ଚାକିରି ଆରମ୍ଭ କରିଥିବା ବାବୁ ଜଣକଙ୍କର ଏବେ ପ୍ରାୟ ୧୩ କୋଟି ଟପି ଯିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବିଶେଷ କରି କଳିଙ୍ଗ ନଗରରେ ଚାକିରି କରୁଥିବା ବେଳେ ବ୍ୟାପକ ଦୁର୍ନୀତି କରି କଳା ଟଙ୍କା ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏପରିକି ଚାକିରିକାଳରେ ବାବୁ ଯେଉଁଠି ନିଯୁକ୍ତି ପାଆନ୍ତି, ସେହି ଅଂଚଳର ଖଣି ମାଫିଆଙ୍କ ସହ ସମ୍ପର୍କ ବଢ଼ାନ୍ତି । ଆଉ ଏହି ସମ୍ପର୍କ ସମ୍ପତି ବଢ଼ାଇବାରେ ସାହାଯ୍ୟ କରୁଥିଲା । ଏହା ସହିତ ମାଇନିଂ ପ୍ଲାଂଟ ଗୁଡ଼ିକରେ ପ୍ରଶାସନର ବିଶେଷ ଦୃଷ୍ଟି ପଡ଼ୁନଥିବାରୁ ବାବୁ ଏହା ଭରପୁର ଫାଇଦା ଉଠାଇ ମାଲେମାଲ ହୋଇଛନ୍ତି ।

ବଡ଼ କଥା ହେଉଛି, ସରକାରୀ ଅଫିସରମାନେ କଳାଟଙ୍କାକୁ ଧଳା କରିବା ପାଇଁ ପରିବାର ସଦସ୍ୟ, ବ୍ୟବସାୟୀ ଏବଂ ବେସରକାରୀ ସଂସ୍ଥାରେ ଟଙ୍କା ବିନିଯୋଗ କରୁଥିବା ଭିଜିଲାନ୍ସ ନଜରକୁ ଆସିଛି । ଗୟା ସାନ୍ତରାଙ୍କ ମାମଲାରେ ତାଙ୍କ ପତ୍ନୀଙ୍କ ନାଁ ମଧ୍ୟ ଏଫଆଇଆର୍ରେ ରହିଛି । ଏସବୁ ଭିତରେ ଭିଜିଲାନ୍ସର ସ୍କାନରରେ ରହିଛନ୍ତି ଗୟାଙ୍କ ନିକଟ ସମ୍ପର୍କୀୟ ।