ପୃଥିବୀ ପୃଷ୍ଠରୁ ୧ ଲକ୍ଷ ଫୁଟ୍ ଅଧିକ ଉଚ୍ଚରେ ଉଡିଲା ତ୍ରିରଙ୍ଗା । ସ୍ପେସ୍ ଷ୍ଟେସନରୁ ମଧ୍ୟ ଦିଶିଲା ଭାରତର ରାଷ୍ଟ୍ରୀୟ ଧ୍ୱଜା । 

240

କନକ ବ୍ୟୁରୋ: ସ୍ୱାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ଫର୍ ଫର୍ ହେଇ ଉଡୁଛି ତ୍ରିରଙ୍ଗା । ମାଟିଠୁ ଆକାଶ, ପାଣିଠୁ ସମୁଦ୍ର ସବୁଠି ତ୍ରିରଙ୍ଗାକୁ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୃଥିବୀ ପୃଷ୍ଠରୁ ପ୍ରାୟ ଏକ ଲକ୍ଷ ଫୁଟ୍ ଅଧିକ ଉଚ୍ଚରେ ଉଡିଛି ତ୍ରିରଙ୍ଗା ପତାକା । ଅସଲ କଥା ହେଉଛି, କୁନି କୁନି ପିଲାମାନଙ୍କୁ ଅନ୍ତରୀକ୍ଷ ବିଜ୍ଞାନ ପ୍ରତି ପ୍ରୋତ୍ସାହିତ କରୁଥିବା ସଂସ୍ଥା ସ୍ପେସ୍ କିଡଜ୍ ଅଫ୍ ଇଣ୍ଡିଆ ପୃଥିବୀ ପୃଷ୍ଠରୁ ୧, ୦୬,୦୦୦ ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ପତାକା ଉଡାଇଛି । ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏପରି କରାଯାଇଥିବା ସୂଚନା ରହିଛି ।

ସ୍ପେସ୍ କିଡଜ୍ ଅଫ୍ ଇଣ୍ଡିଆ ନିଜର ବୟାନରେ କହିଛି ଯେ, ପୃଥିବୀର ଉପରେ ତ୍ରିରଙ୍ଗା ଉଡାଇ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଯାଇଛି । ଏପରି କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଖାଲି ସେତିକି ନୁହେଁ, ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରେ କାମ କରୁଥିବା ଅନ୍ତରୀକ୍ଷଯାତ୍ରୀ କ୍ରିଷ୍ଟୋଫୋରେଟୀ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଅନ୍ୟପଟେ ଭାରତୀୟ ମୂଳ ଅନ୍ତରୀକ୍ଷଯାତ୍ରୀ ରାଜା ଚେରୀ ମଧ୍ୟ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ନାସାର ଏହି ଅନ୍ତରୀକ୍ଷଯାତ୍ରୀ ୬ ମାସର ମିଶନ ପରେ କିଛି ଦିନ ହେଲା ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରୁ ଫେରିଛନ୍ତି । ସେ କହିଛନ୍ତି, ନାସା ଓ ଇସ୍ରୋ ଭିତରେ ସହଯୋଗର ଏକ ଲମ୍ବା ଇତିହାସ ରହିଛି । ସ୍ପେସ୍ ଯୁଗର ପ୍ରାରମ୍ଭ ଦିନମାନଙ୍କରେ ଇସ୍ରୋ-ନାସାର ସହଯୋଗର ସମ୍ପର୍କ ଏବେ ବି ଜାରି ରହିଛି । ତେବେ ରାଜା ଚେରୀ ତାଙ୍କ ଆକାଉଣ୍ଟରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।

ରାଜା ଚେରୀ ମହାକାଶରେ ତ୍ରିରଙ୍ଗା ଫଟୋ ସେୟାର କରି ଲେଖିଛନ୍ତି, ସ୍ୱତନ୍ତ୍ରତା ଦିବସ ପୂର୍ବ ସନ୍ଧ୍ୟାରେ ମୋର ଭାରତୀୟମାନେ ମନେ ପଡୁଛନ୍ତି, ଯାହାଙ୍କୁ ମୁଁ ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରେ ଦେଖିଥିଲି । ଏଠାରେ ମୁଁ ମୋ ପିତାଙ୍କ ସହର ହାଇଦ୍ରାବାଦକୁ ଦେଖିଥିଲି । ତେବେ ନାସା ଏକ ଏମିତି ଜାଗା, ଯେଉଁଠି ପ୍ରତିଟି ଭାରତୀୟ ପ୍ରତିଦିନ କିଛି ଅଲଗା କରିବାକୁ ଚେଷ୍ଟା କରିଥାଏ ବୋଲି ସେ ଲେଖିଛନ୍ତି ।