ଟୋକିଓରେ ସ୍ୱର୍ଣ୍ଣ ଜିତିଲେ ନୀରଜ । ଜାଭଲିନ୍ ଥ୍ରୋରେ ଭାରତ ପାଇଁ ସୁନା ପଦକ ଆଣିଲେ ନୀରଜ ଚୋପ୍ରା ।

266

କନକ ବ୍ୟୁରୋ: ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଖେଳାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଏହାସହ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ଖେଳାଳି ଟୋକିଓରେ ରୌପ୍ୟ କିମ୍ବା ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ । ନୀରଜ ପ୍ରଥମ ଖେଳାଳି ଭାବେ ଆଜି ଟୋକିଓରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଆଜି ଜାଭଲିନ୍ ଥ୍ରୋ ଫାଇନାଲରେ ମୋଟ ୧୨ ଜଣ ଆଥଲେଟ୍ ଭାଗ ନେଇଥିଲେ । ଯେଉଁଥିରେ ପ୍ରତି ଖେଳାଳିଙ୍କୁ ଏକାଧିକ ଥର ଥ୍ରୋ କରିବାକୁ ଦିଆଯାଇଥିଲା । ଭାରତୀୟ ଖେଳାଳି ନୀରଜ ଚୋପ୍ରା ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲେ ଆଉ ନିଜର ପ୍ରଥମ ପ୍ରୟାସରେ ସେ ୮୭.୦୩ ମିଟର ଥ୍ରୋ କରିଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ମଧ୍ୟ ସେ ୮୭.୫୮ ମିଟର ଥ୍ରୋ କରିଥିଲେ ଯାହା ଆଜି ତାଙ୍କୁ ମେଡାଲ ଜିତିବାରେ ବେଶ ସହାୟକ ହୋଇଥିଲା । ଏହାପରେ ଆଉ କୌଣସି ଖେଳାଳି ତାଙ୍କର ଏହି ଥ୍ରୋକୁ ପାର୍ କରିପାରିନଥିଲେ । ଆଉ ନୀରଜ ଚୋପ୍ରା ଦେଶର ପ୍ରଥମ ଖେଳାଳି ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ଏହାପୂର୍ବରୁ ଭାରତୀୟ ରେସଲର ବଜରଙ୍ଗ ପୁନିଆ ମଧ୍ୟ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି । ତେଣୁ ଆଜି ଗୋଟିଏ ଦିନରେ ଭାରତ ଟୋକିଓରେ ଦୁଇଟି ମେଡାଲ ଜିତିଛି ।